କରୋନାରେ ବିଜୁ ଯୁବବାହିନୀ ସଦସ୍ୟଙ୍କ ମୃତ୍ୟୁ
ଦିଗପହଣ୍ଡି, (ୱାଇଏନ୍ଏସ୍): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ କିଛିଦିନ ହେଲା ସେ ଜ୍ୱରରେ ସଂକ୍ରମିତ ହୋଇ ଔଷଧ ସେବନ କରୁଥିଲେ। ଗୁରୁବାର ତାଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଶୁକ୍ରବାର ତାଙ୍କ ନମୁନା କରୋନା ପଜିଟିଭ ଆସିଥିଲା। ଅପରାହ୍ନରେ ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ନିକଟ ଶୀତଳା ପଲ୍ଲୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶନିବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ଶିବରାମଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ପୂର୍ବରୁ ଶିବରାମ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ବେଳେ ନିୟମିତ ଡାକ୍ତରୀ ପରୀକ୍ଷା ସହ ଔଷଧ ସେବନ କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି। ତାଙ୍କ ମୃତ୍ୟରେ ଶୋକ ବ୍ୟକ୍ତ କରିଛନ୍ତି ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ସେ କହିଛନ୍ତି ଦିଗପହଣ୍ଡି ଏନ.ଏ.ସି.ର ଯୁବନେତା ଶ୍ରୀ ଏମ.ଶିବରାମ ଆଜି କରୋନାରେ ଆକ୍ରାନ୍ତ ହୋଇ କୋଭିଡ ଡାକ୍ତରଖାନା ରେ ଅତି ଅଳ୍ପ ବୟସରେ ଦେହାନ୍ତ ହୋଇଛନ୍ତି । ଏହା ଅତ୍ୟନ୍ତ ଦୁଃଖମୟ ଘଟଣା । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାର ସତଗତି ହେଉ ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ।


