କରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିିଁ, ଏହା ସମସ୍ତଙ୍କୁ ବିପଦରେ ପକାଇବ : ଜିଲ୍ଲାପାଳ
ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): କରୋନାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଜିଲ୍ଲାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କରୋନା ଲକ୍ଷଣ ନ ଲୁଚାଇବାକୁ ବାରମ୍ବାର କୁହାଯାଇଥିଲେ ସୁଦ୍ଧା ଲୋକେ ପାରାସିଟାମଲ ଖାଉଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା, କାଶ, ଜ୍ୱର ହେଉଛି ସେମାନେ ଲକ୍ଷଣମାନ ନ ଲୁଚାଇ ଡାକ୍ତରଙ୍କ ପରାମର୍ଶ ଘେନି ଔଷଧ ଖାଇବାକୁ ଜିଲ୍ଲାପାଳ କହିଛନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ ଖାଇବାକୁ ସେ ବାରଣ କରିଛନ୍ତି। ବିନା ପରାମର୍ଶରେ ପାରାସିଟାମୋଲ ଖାଇଲେ ଜ୍ୱର କମିଯିବ ମାତ୍ର କରୋନା ଭୂତାଣୁ ନାଶ ହେବ ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବଡ଼ ରୂପ ନେବ ଯାହା ଫଳରେ ଜୀବନ ପ୍ରତି ବିପଦ ରହିଛି । ତେଣୁ ଏଥିପ୍ରତି ସତର୍କ ରହିବାକୁ ଜିଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଲକ୍ଷଣ ଥିଲେ ସେ ସମ୍ପର୍କରେ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ କିମ୍ବା ସରପଞ୍ଚଙ୍କୁ ଜଣାନ୍ତୁ, ଆଇସୋଲଶନରେ ରଖାଯିବ। ଏଥିପାଇଁ ଜିଲାର ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ କୋଭିଡ କେୟାର ହୋମ ବ୍ୟବସ୍ଥା ହୋଇଛି। ସେଠାରେ ଖାଦ୍ୟ, ପାଣି, ପରିମଳ, ଔଷଧ ବ୍ୟବସ୍ଥା ସହ ମେଡିକାଲ ଟିମ୍ ରହିଛନ୍ତି କରୋନାକୁ ଯେମିତି ହେଲେ ରୋକିବାକୁ ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି।


