କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ : ହାଇକୋର୍ଟ
କଟକ : କରୋନା ଭୂତାଣୁ ସଂକ୍ରମିତ (କୋଭିଡ-୧୯ ପଜିଟିଭ) ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରକାଶ କରାଯିବ ନାହିଁ । ସଂକ୍ରମିତଙ୍କ ପରିଚୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଏମିତିକି ଅଥବା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନରେ ବି ପ୍ରକାଶ କରାଯିବ ନାହିଁ । ରାଜ୍ୟ ଭିତରେ ଥିବା କୋଭିଡ ସେଣ୍ଟର, ସରକାରୀ ଅଥବା ଘରୋଇ ହସ୍ପିଟାଲ, ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ଜଣାପଡ଼ିବା ପରେ ସେମାନଙ୍କ ପରିଚୟ ଯେପରି ବାହାରେ ପ୍ରଘଟ ନ ହେବ, ତାହା ସରକାର ନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଥିବା ବେଳେ ଶୁଣାଣି ସମୟରେ ଉପସ୍ଥିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଏବଂ କୋଭିଡ-୧୯ ପରିଚାଳନା ସମ୍ପର୍କିତ ଭାରତ ସରକାରଙ୍କ ନିୟମାବଳୀ କାର୍ଯ୍ୟ କାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଆଇନଜୀବୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମିତଙ୍କ ତଥ୍ୟ ବାହାରେ ପ୍ରକାଶ ନ କରିବା ନିୟମ ଉଲ୍ଲଂଘନ ଅଭିଯୋଗ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୪ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଓ କେନ୍ଦ୍ରାପଡ଼ା ଜିଲ୍ଲାପଳଙ୍କୁ ପକ୍ଷ ରଖିବାକୁ ଅଦାଲତ ନୋଟିସ ଜାରି କରିଛନ୍ତି । ଆଇନଜୀବୀ ସୁଶାନ୍ତ କୁମାର ଦାଶ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।


