ଲକଡାଉନର ପ୍ରଭାବ: ୩.୧% କୁ ଖସିଲା ବିକାଶ ହାର

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଉପରେ ଲକଡାଉନର ପ୍ରଭାବ କେତେ ଭୟଙ୍କର ତାହା ଏକ ଝଲକ ମିଳିଛି । ଚଳିତ ବର୍ଷର ଜାନୁଆରୀ-ମାର୍ଚ୍ଚ ତିନି ମାସରେ ବିକାଶ ହାର ୩.୧ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯାଇଛି । ବିଗତ ୧୧ ବର୍ଷରେ ଅର୍ଥନୀତିର ଏହା ସବୁଠୁ ଖରାପ ସ୍ଥିତି । ମାର୍ଚ୍ଚ ୨୫ ରେ ଲକଡାଉନ ଘୋଷଣା କରାଯାଇଥିଲା । ଅର୍ଥାତ ଏହି ତିନି ମାସର ମାତ୍ର ୬ ଦିନ ଅର୍ଥନୀତି ସମ୍ପୂର୍ଣ୍ଣ ଠପ ହୋଇଥିବା ବେଳେ ସ୍ଥିତି ଏବେ ଗମ୍ଭୀର ହୋଇଛି । ଏହାର ପରବର୍ତ୍ତୀ ମାସ ଗୁଡ଼ିକ ସାରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନରେ ରହିଛି । ତେଣୁ ତାହାର ତଥ୍ୟ ଯେତେବେଳେ ପ୍ରକାଶ ପାଇବ ସ୍ଥିତି ଆହୁରି କେତେ ଗମ୍ଭୀର ତାହା ଜଣାପଡ଼ିବ ।
କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତରଫରୁ ୨୦୧୯-୨୦ ଆର୍ଥିକ ବର୍ଷ ଓ ସେହି ବର୍ଷର ଶେଷ ତିନି ମାସ (୨୦୨୦ ଜାନୁଆରୀ-ମାର୍ଚ୍ଚ) ର ଅଭିବୃଦ୍ଧି ତଥ୍ୟ ଜାରି କରାଯାଇଛି । ୨୦୧୯-୨୦ ବର୍ଷ ସାରାରେ ଅଭିବୃଦ୍ଧି ହାର ୪.୨ ପ୍ରତିଶତ ହୋଇଛି ଯାହା ବିଗତ ୧୧ ବର୍ଷ ଭିତରେ ସବୁଠାରୁ କମ୍‍ । ଗ୍ରସ ଭାଲ୍ୟୁ ଆଡେଡ (ଜିଭିଏ) ଅନୁସାରେ ସାରା ବର୍ଷର ଅଭିବୃଦ୍ଧି ହାର ହେଉଛି ୩ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ତାହା ୪.୫ ପ୍ରତିଶତ ହାରରେ ଆଗକୁ ବଢ଼ିଛି । ୨୦୧୮-୧୯ ରେ ଦେଶର ଅଭିବୃଦ୍ଧି ହାର ୫.୭ ପ୍ରତିଶତ ଥିଲା । ୨୦୧୯-୨୦ ରେ ସେଥିରେ ବଡ଼ ଧରଣର ହ୍ରାସ ହୋଇଛି । ୨୦୧୯-୨୦ ରେ ଅଭିବୃଦ୍ଧି ହାର ୫% ହେବ ବୋଲି ସରକାର ଆକଳନ କରିଥିଲେ । ତାହା ଭୁଲ ପ୍ରମାଣିତ ହୋଇଛି । ବିକାଶ ହାର ଆକଳନଠାରୁ କମ୍‍ ରହିଛି । ୨୦୧୧-୧୨ ର ମୂଲ୍ୟ ହିସାବ ଅନୁସାରେ, ମୋଟ ଘରୋଇ ଉତ୍ପାଦ ପରିମାଣ ୧୪୫.୬୬ ଲକ୍ଷ କୋଟି ଟଙ୍କା ଓ ମୁଣ୍ଡପିଛା ଆୟ ହେଉଛି ୯୪.୯୫୪ ଟଙ୍କା । ୨୦୧୮୦୧୯ ର ମୁଣ୍ଡ ପିଛା ଆୟ ୯୨.୦୮୫ ଟଙ୍କା ଥିଲା । ବର୍ଷକ ଭିତରେ ମୁଣ୍ଡପିଛା ଆୟ ୩.୧ ପ୍ରତିଶତ ବୃଦ୍ଧି ହୋଇଛି । କିନ୍ତୁ ୨୦୧୮-୧୯ ର ୪.୮ ବୃଦ୍ଧି ତୁଳନାରେ ତାହା କମ୍‍ । ୨୦୧୯-୨୦ ର ମୂଲ୍ୟକୁ ନେଇ କରାଯାଇଥିବା ହିସାବ ଅନୁସାରେ ଜିଡିପିର ମୂଲ୍ୟ ୨୦୩.୪୦ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୁଣ୍ଡପିଛା ହେଉଛି ୧୩୪.୨୨୬ ଟଙ୍କା । ୨୦୧୮-୧୯ ରେ ମୁଣ୍ଡପିଛା ଆୟ ଏହି ହିସାବ ଅନୁସାରେ ଥିଲା ୧,୨୬,୫୨୧ ଟଙ୍କା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ