କରୋନା ପାଇଁ ଏସିଆର ଅଭିବୃଦ୍ଧି ହେବ ‘ଶୂନ’
ଟୋକିଓ: ବିଗତ ୬୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ବିରଳ ଘଟଣା ଘଟିବ । ଏସିଆର ଅଭିବୃଦ୍ଧି ହାର ଶୂନ ପ୍ରତିଶତକୁ ଖସିଯିବ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଏଭଳି ଆକଳନ କରିଛି । କରୋନା ଭୂତାଣୁ ପ୍ରଭାବରେ ଏସିଆର ବିଭିନ୍ନ ଦେଶରେ ସେବା କ୍ଷେତ୍ର ଏବଂ ପ୍ରମୁଖ ରପ୍ତାନୀ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଇଏମଏଫର ଏସିଆ ଆଣ୍ଡ ପାସିଫିକ ବିଭାଗର ନିର୍ଦ୍ଦେଶକ ଚାଙ୍ଗୟଙ୍ଗ ରି କହିଛନ୍ତି ଯେ, କରୋନା ବିଶ୍ୱ ମହାମାରୀ କାରଣରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର କଟକଣା ଯଥା ଯାତ୍ରା କଟକଣା, ସାମାଜିକ ଦୂରତ୍ୱ ବଜାୟ ରଖିବା ନୀତି ଓ ଅନ୍ୟାନ୍ୟ କଟକଣା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଲୋକ ଏବଂ ସଂସ୍ଥା ଗୁଡ଼ିକ ପାଇଁ ନୀତି ନିର୍ଦ୍ଧାରକମାନଙ୍କୁ ସହାୟତା ଦେବାକୁ ପଡ଼ିବ । ସେ କହିଛନ୍ତି, ବିଶ୍ୱ ଅର୍ଥନୀତି ପାଇଁ ଏକ ସଂକଟମୟ ସମୟ । ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏଥିରୁ ବର୍ତ୍ତୀ ପାରିବ ନାହିଁ । ବିଗତ ୬୦ ବର୍ଷରେ ପ୍ରଥମ ଥର ପାଇଁ ଏସିଆର ଅଭିବୃଦ୍ଧି ହେବ ଶୂନ । ଏସିଆର ବିଭିନ୍ନ ଦେଶ ଗୁଡ଼ିକର ନୀତି ନିର୍ଦ୍ଧାରକମାନଙ୍କୁ ସବୁ ପ୍ରକାର ଉପକରଣକୁ ବ୍ୟବହାର କରି କରୋନା ବିଶ୍ୱ ମହାମାରୀ ମୁକାବିଲା କରିବାକୁ ପଡ଼ିବ । ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ବିଶ୍ୱର ଅନ୍ୟ ପ୍ରାନ୍ତ ତୁଳନାରେ ଏସିଆ ଅର୍ଥନୀତି ଅପେକ୍ଷାକୃତ କମ ପ୍ରଭାବିତ ହେବ । ୨୦୦୮-୦୮ ର ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଏସିଆର ହାରାହାରି ଅଭିବୃଦ୍ଧି ହା ୪.୭ ପ୍ରତିଶତ ଥିଲା । ୧୯୯୦ ର ଏସୀୟ ଆର୍ଥିକ ସଙ୍କଟ ବେଳେ ୧.୩ ପ୍ରତିଶତର ଅଭିବୃଦ୍ଧି ହୋଇଥିଲା । ଆଇଏମଏଫ ଏଥର ଆକଳନ କରିଛି ଯେ ଆସନ୍ତା ବର୍ଷ ଏସିଆର ଅର୍ଥନୈତିକ ଅଭିବୃଦ୍ଧି ୭.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ । କିନ୍ତୁ ଏହା ମଧ୍ୟ ଜଣାଇଛି ଯେ ଯଦି କରୋନାର ସଫଳ ମୁକାବିଲା ହେବ ତେବେ ଏହି ସଫଳତା ମିଳିପାରିବ ।


