କରୋନା ସହ ଅର୍ଥନୀତିକୁ ଦେଖିବାକୁ ପଡ଼ିବ:ମୋଦୀ
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଜାରି ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁଥିବାବେଳେ କରୋନା ସହ ଯୁଦ୍ଧ ସାଙ୍ଗକୁ ଅର୍ଥନୀତି ଉପରେ ବି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସୋମବାର କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ଅବସରରେ ମୋଦୀ ଏହା କହିଛନ୍ତି ।
କରୋନା ମୁକାବିଲା ନେଇ ସନ୍ତୋଷ ପ୍ରକାଶ କରି ମୋଦୀ କହିଛନ୍ତି ଯେ, ସମୟୋଚିତ ପଦକ୍ଷେପ ଯୋଗୁଁ ଅନେକ ଲୋକଙ୍କୁ ସୁରକ୍ଷିତ ରଖାଯାଇଛି । ଏଯାଏ ଭାଇରସ ଭୟ ଯାଇନାହିଁ । ତେଣୁ ଏଥିପ୍ରତି ନିରନ୍ତର ଦୃଷ୍ଟି ଦେବାକୁ ପଡ଼ିବ । ଦୁଇ ଥର ଲକ ଡାଉନ ହେଲାଣି, ଏବେ ତା ଠାରୁ ଆଗକୁ ଦେଖିବାକୁ ପଡ଼ିବ । ବିଶେଷଜ୍ଞଙ୍କ ମତାନୁଯାୟୀ ଆଗାମୀ ମାସଗୁଡ଼ିକରେ ବି କରୋନା ପ୍ରକୋପ ରହିବ । ଆଗାମୀ ଦିନମାନଙ୍କରେ ମାସ୍କ ଆମ ଜୀବନର ଏକ ଅଙ୍ଗ ହୋଇ ରହିବ । କରୋନା ସହ ଯୁଦ୍ଧ ସାଙ୍ଗକୁ ଅର୍ଥନୀତି ଉପରେ ଗୁରୁତ୍ୱ ଦେବାକୁ ହେବ । ସୁସଂଗଠିତଭାବେ ଅନୁଧ୍ୟାନ ପାଇଁ ଗବେଷକଙ୍କୁ ମୋଦୀ ଆହ୍ୱାନ ଦେଇଛନ୍ତି । ହଟସ୍ପଟ ଜୋନ ପ୍ରତି ରାଜ୍ୟମାନେ ବିଶେଷ ଧ୍ୟାନ ଦେବାକୁ ମଧ୍ୟ ମୋଦୀ କହିଛନ୍ତି । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁକୁ ନେଇ ଦେଶ ଏବଂ ରାଜ୍ୟଗୁଡ଼ିକରେ ସୃଷ୍ଟି ହୋଇଥିବା ସ୍ଥିତି, ଲକଡାଉନ ଏବଂ କରୋନା ମୁକାବିଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅଧିକାଂଶ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ କହିଥିଲେ ସମସ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସାମୁହିକ ପ୍ରୟାସର ଲାଭ ଦେଖିବାକୁ ମିଳୁଛି। ଲକଡାଉନ ଯୋଗୁ ଆମକୁ ସୁଫଳ ମିଳୁଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି ବୋଲି ମୋଦୀ କହିଥିଲେ।


