କର୍ଣ୍ଣାଟକ ଆସି ପାରିବେନି ୪ ରାଜ୍ୟବାସୀ
ବେଙ୍ଗାଲୁର : ମହାରାଷ୍ଟ୍ର, ଗୁଜରାଟ, କେରଳ ଏବଂ ତାମିଲନାଡୁର ଲୋକମାନଙ୍କୁ ମେ ୩୧ ପର୍ଯ୍ୟନ୍ତ କର୍ଣ୍ଣାଟକରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ସୋମବାର ଏହା ପ୍ରକାଶ କରିଛନ୍ତି । ତାଙ୍କ ଅନୁସାରେ ଏହା ବ୍ୟତୀତ ରବିବାର ଦିନ ଗୁଡ଼ିକରେ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ ରହିବ । ସେଦିନ କେବଳ ଅତ୍ୟାବଶ୍ୟକ ସେବା ମିଳିବ । ସେହିପରି କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଲକଡାଉନ କଡାକଡ଼ି କରାଯିବ । ଅନ୍ୟ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ୟେଦିୟୁରପ୍ପା ଆହୁରି କହିଛନ୍ତି ଯେ, ରାଜ୍ୟ ପରିବହନ ନିଗମର, ବସ, ଘରୋଇ ବସ ଗୁଡ଼ିକ ରାଜ୍ୟ ମଧ୍ୟରେ ଚଳାଚଳ କରିବ । ତେବେ କଣ୍ଟେନମେଣ୍ଟ ଜୋନ, ରେଡ ଜୋନରେ ଏହା ଚାଲିବ ନାହିଁ । ବସରେ ସାମାଜିକ ଦୂରତ୍ୱ ପାଳନ ପାଇଁ ଅତି ବେଶିରେ ୩୦ ଜଣ ଯାତ୍ରୀ ଯାଇପାରିବେ । ଓଲା, ଉବର ଭଳି ଟ୍ୟାକ୍ସି ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ । ପାର୍କଗୁଡ଼ିକ ବି ଖୋଲିବ । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସବୁ ଦୋକାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦିଆଯିବ । ଅନ୍ୟପଟେ ମଲ, ଶିକ୍ଷାନୁଷ୍ଠାନ, ସିନେମାହଲ, ଜିମ, ସ୍ୱିମିଂ ପୁଲ ବନ୍ଦ ରହିବ ବୋଲି ଜଣାପଡ଼ିଛି ।


