କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ ଆୟୁଷ ଡାକ୍ତର ମାନେ
ଛତ୍ରପୁର, (ଓ୍ବାଇଏନ୍ଏସ୍): କୋଭିଡ୍ ଯୋଦ୍ଧା ଘୋଷଣା କରିବା ସହ ଆୟୁଷ ଡାକ୍ତରଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ନିମନ୍ତେ ଦାବି ହୋଇଛି।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବୁ ବୋଲି ଗଂଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏହି ସଂକ୍ରାନ୍ତରେ ଶୁକ୍ରବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ସଂଘ ପକ୍ଷରୁ ଆହୁରୀ ଏକ ଅଭିଯୋଗ ହୋଇଛି ଯେ, ତୃଣମୂଳ ସ୍ତରରେ କରୋନା ମୁକାଲିବା ପାଇଁ ନିଯୁକ୍ତ ଆୟୁଷ ଡାକ୍ତରମାନେ ଚରମ ଅବହେଳା ଶିକାର ହୋଇଛନ୍ତି।ଏହାକୁ ନେଇ ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶିକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଫଳପ୍ରଦ ଶୂନ।ଦିନରାତି କାମ କଲାପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ କିମ୍ବା କାମର ଶ୍ରେୟ ମିଳୁନାହିଁ।ଅନ୍ୟମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଛି ହେଲେ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଚିକିତ୍ସା କରୁଥିବା ଆୟୁଷ ଡାକ୍ତରମାନେ ଏଥିରୁ ବଞ୍ଚିତ ଅଛନ୍ତି।ଆୟୁଷ ଡାକ୍ତରମାନେ ସରକାରଙ୍କ ସବୁ ନିୟମ ମାନି କାମ କରିବା ସତ୍ତ୍ୱେ କିଛି ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି।କରୋନା ମୁକାବିଲାରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତରମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସଂଘ ପାଇଁ ଏକ ବୃହତ୍ତ ଚିନ୍ତାର ବିଷୟ।ଏଣୁ ସରକାର ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧା ଘୋଷଣା କରନ୍ତୁ, ଡାକ୍ତରଙ୍କ ମାସିକ ଦରମା ୬୬ ହଜାର ଟଙ୍କା ପ୍ରଦାନ ସହ ଦୈନିକ ୧ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ, ଉଦ୍ଧିଷ୍ଟ ତାଲିମ ପ୍ରଦାନ କରି ଏଲୋପାଥିକ ଔଷଧ ଚିକିତ୍ସା ପାଇଁ ଅନୁମତି ଦେବା ସହ ଉକ୍ତ ଅନୁମତିକୁ ସବୁଦିନ ପାଇଁ ବଳବତ୍ତର ରଖାଯାଉ,କୋଭିଡ୍ କାର୍ଯ୍ୟରେ ଅକସ୍ମାତ ଅଘଟଣ(ମୃତ୍ୟୁ) ଘଟିଲେ ସାମାଜିକ ସୁରକ୍ଷା ଆଇନ ନିୟମ ପ୍ରକାରେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପ୍ରଦାନ କରିବା ସହ ୫୦ ଲକ୍ଷ ଏବଂ ଅବସର ଯାଏ ସଂପର୍କୀୟଙ୍କୁ ଦରମା ପ୍ରଦାନ, ନିୟୋଜନ କରାଯାଉଥିବା କୋଭିଡ୍ କାର୍ଯ୍ୟ ୧୫ ଦିନ ପୁର୍ତ୍ତି ପରେ ସଙ୍ଗରୋଧରେ ରହିବାର ସୁବିଧା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ଔଷଧ ଦ୍ୱାରା ପ୍ରତ୍ୟେକ ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ସୁଯୋଗ ପ୍ରଦାନ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ମାଧ୍ୟମରେ ଦୀର୍ଘ ୧୫ ବର୍ଷ ଧରି ଠିକା ଭିତ୍ତିକ ଚାକିରି ପୁର୍ତ୍ତି କରି ସାରିଥିବା ଡାକ୍ତରଙ୍କ ଚାକିରିକୁ ନିୟମିତ କରିବା ଏଭଳି ୬ ଗୋଟି ଦାବି ସଂକ୍ରାନ୍ତରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ଏବଂ ନିଜ ପ୍ରତି ହୋଇଥିବା ଏସବୁ ଅବହେଳାର ପ୍ରତିବାଦ ସ୍ୱରୂପକୁ ନେଇ ଆଜିଠୁ କଳାବ୍ୟାଜ୍ ପରିଧାନ ପୂର୍ବକ ନିଜକୁ ହସ୍ତାନ୍ତର ହୋଇଥିବା ଦାୟିତ୍ୱ ସମ୍ପାଦନ କରିବୁ ବୋଲି ସଂଘର ସଂପାଦକ ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତ, ଆବାହାକ ତଥା ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଉପସଭାପତି ଡାକ୍ତର ଇପସ୍ପିତା ପଣ୍ଡା, ଡାକ୍ତର ସୁନିତା ପ୍ରଧାନ, ଡାକ୍ତର ଅସ୍ମିତା ପାତ୍ର ଓ ଡାକ୍ତର ରବୀ ପାଢୀ ପ୍ରମୁଖ ସୂଚନା ଦେଇଛନ୍ତି ।


