କଳା ରେଗୁଲାରରେ ୯୮.୫୮ % ପିଲା ପାସ୍
ଭୁବନେଶ୍ୱର, ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଶନିବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀମାନେ ଓଡିଶା ରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ୍ ରେ ଲଗ୍ ଇନ୍ କରି ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଏବର୍ଷ ଯୁକ୍ତ ୨ କଳାର ରେଗୁଲାରରେ ୯୮.୫୮ % ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୯୫ ଜଣ ୯୦% ଉପରେ ଅଛନ୍ତି । କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ଉତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ୩୦ ହଜାର ୬୮୫ ଜଣ ପରୀକ୍ଷାର୍ଥୀ । ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ୪୬ ହାଜର ୫୬୩ ଏବଂ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ୫୦୫ ଜଣ ପରୀକ୍ଷାର୍ଥୀ । ଏହାବ୍ୟତୀତ କମ୍ପାର୍ଟମେଂଟାଲରେ ୨୦୬ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ଏଥର ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗରେ ରହିଛନ୍ତି ।
ରେଗୁଲାର, ଏକ୍ସରେଗୁଲାର ଓ କରେସ୍ପୋନ୍ଡେନ୍ସରେ ମିଶି ମୋଟ ୨,୨୦,୦୮୧ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୯୬,୯୫୯ ଜଣ ପାସ୍ କରିଛନ୍ତି । ଅର୍ଥାତ୍ ମୋଟ୍ ପାସ୍ ହାର ୮୯.୪୯% ରହିଛି । ୮୪,୯୦୦ ଜଣ ଛାତ୍ର ଓ ୧,୧୨,୦୫୯ ଜଣ ଛାତ୍ରୀ ପାସ୍ କରିଛନ୍ତି । ଅର୍ଥାତ୍ ଛାତ୍ରଙ୍କ ପାସ୍ ହାର ୮୫.୯୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୪% ରହିଛି ।୩୦,୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୬,୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ୧,୧୯,୫୦୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬,୧୯୭ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୩୧ ଜଣ ପାସ୍ କରିଛନ୍ତି । ଅର୍ଥାତ୍ ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ୍ ହାର ୮୬.୦୨% ରହିଛି । ୬,୧୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୯୨୦ ଜଣ ରେଗୁଲାର ଓ ୧,୨୭୭ ଜଣ ଏକ୍ସ-ରେଗୁଲାରର ଥିଲେ । ରେଗୁଲାରରେ ୪,୮୭୯ ଜଣ ପାସ୍ କରିଥିବା ବେଳେ ଏକ୍ସ-ରେଗୁଲାରେ ୪୫୨ ଜଣ ପାସ୍ କରିଛନ୍ତି ।ମୋଟ ୫,୩୩୧ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୭୧୭ ଜଣ ଛାତ୍ର ଓ ୨,୬୧୪ ଜଣ ଛାତ୍ରୀ ଅଛନ୍ତି । ଛାତ୍ରଙ୍କ ପାସ୍ ହାର ୮୩.୮୫% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୮.୪% ରହିଛି ।୧,୦୭୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୮୩୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨,୨୧୯ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।ରେଜଲ୍ଟରେ ତଥ୍ୟ ଆଧରିତ ତ୍ରୁଟି ଥିଲେ ଛାତ୍ରଛାତ୍ରୀମାନେ ଜଣାଇପାରିବେ । ସେମାନେ ଏ ସଂପର୍କରେ ଅଗଷ୍ଟ ୨୩ ଭିତରେ କଲେଜ ଅଧ୍ୟକ୍ଷମାନଙ୍କ ନିକଟରେ ପ୍ରମାଣ ସହ ଅଭିଯୋଗ କରିପାରିବେ । ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଧ୍ୟକ୍ଷମାନେ ଅଗଷ୍ଟ ୨୪ ଭିତରେ ସିଏଚ୍ଏସ୍ଇକୁ ଜଣାଇବେ । ସେମାନେ ସିଏଚ୍ଏସ୍ଇକୁ ଇ-ମେଲ କରି ଛାତ୍ରଛାତ୍ରୀଙ୍କ ଅଭିଯୋଗ ଗୁଡ଼ିକୁ ଜଣାଇବେ ।
ପରୀକ୍ଷା ଫଳ ପ୍ରକାଶନ ସମୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ, ଉପାଧ୍ୟକ୍ଷା ତୁଷାରକାନ୍ତି ତ୍ରିପାଠୀ ଏବଂ ସଚିବ ଶ୍ରୀମତୀ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


