କାନ୍ତକବିଙ୍କ ୧୩୩ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ୱାଇଏନ୍ଏସ୍): ତା.୯-୧୨-୨୦ରିଖ: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ସାହିତ୍ୟର ବରେଣ୍ୟ ସାଧକ ଔପନ୍ୟାସିକ କବି, ନାଟ୍ୟକାର, ବ୍ୟଙ୍ଗକାର ତଥା କାନ୍ତକବି ନାମରେ ସୁପରିଚିତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ସ୍ଥାନୀୟ ମୁଖ୍ୟ ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖ ତାଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, କାନ୍ତକବି ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ପ୍ରତିଭା । ତାଙ୍କର କାଳଜୟୀ ଲେଖା “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଂଗୀତ ଭାବେ ମାନ୍ୟତା ମିଳିବା ସହିତ ଏହା ପ୍ରତିଟି ସ୍ୱାଭିମାନୀ ଓଡ଼ିଆଙ୍କ ମନ ଓ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଓଡ଼ିଆ ଭାଷା-ସାହିତ୍ୟ, ନାଟ୍ୟ, ଗଳ୍ପ, ପ୍ରବନ୍ଧ ପ୍ରମୁଖ ରଚନା କରିବା ସହିତ ସମାଜ ସଂସ୍କାର ଉପରେ ତାଙ୍କର ଲେଖନୀର ଗଭୀର ପ୍ରଭାବ ପକାଇପାରିଥିଲା । ତାଙ୍କ ଆଦର୍ଶରେ ଆଜିର ଯୁବପୀଢ଼ୀ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିଯାନର ବରିଷ୍ଠ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଲଭ ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତା ପାଇଁ ସୌଭାଗ୍ୟ ରଂଜନ ମହାନ୍ତିଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତିସମ୍ମାନ, ବିଶିଷ୍ଟ ଭାଷାଯୋଦ୍ଧା, ସାହିତ୍ୟିକ ତଥା କାନ୍ତକବି ଓଡ଼ିଶା ମଂଚର ଆବାହକ ଲକ୍ଷ୍ମୀଧର ବିଶ୍ୱାଳଙ୍କୁ ପୂଜ୍ୟପୂଜା ପାଇଁ କାନ୍ତକବି ସମ୍ମାନ ଓ ସୁକବି, ଲେଖକ ନିରାକାର ଦାସଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାମୂହିକ ଭାବେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଯାନର ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସହିତ ପ୍ରଦୀପ ବିଶ୍ୱାଳ, ପ୍ରମୋଦ କୁମାର ଦେବ, ରୋହିତ ନାୟକ, ବିଜୟ ଖୁଂଟିଆ, ଲକ୍ଷ୍ମୀଧର ବେହେରା, ପ୍ରକାଶ ମଲ୍ଲିକ, ଲକ୍ଷ୍ମୀଧର ବିଶ୍ୱାଳ, ସୁମନ୍ତ ସ୍ୱାଇଁ, ସମିତା ମହାରଣା, ଲକ୍ଷ୍ମଣ ଦାସ, ବି. ମୂରଲୀଧର, ଡ. ଅସିତ୍ ଦାସ, ମନଜିତ୍ କୌର, ପ୍ରମୁଖ ଯୋଗଦେଇଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ