ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ: ଆଇନକୁ କଡାକଡି ଲାଗୁ କରିବା ଉପରେ ଗୁରୁତ୍ୱ
ବାଲେଶ୍ୱର,(ୱାଇଏନ୍ଏସ୍): ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଡକ ସୁରକ୍ଷା ଆଇନକୁ କଡାକଡି ଲାଗୁ କରିବା ସହିତ ସଡକ ଦୁର୍ଘଟଣାଜନିତ ମୃତ୍ୟୁକୁ କିଭଳିି ହ୍ରାସ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରାଙ୍କ ସମେତ ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀ, ଜିଲ୍ଲା ସଡକ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଗତ ବୈଠକମାନଙ୍କରେ ନିଆଯାଇଥିବା ନିଷ୍ପତି ସହିତ ଗତ ନଭେମ୍ବର ୨୩ତାରିଖ ଦିନ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସଡକ ସୁରକ୍ଷା ସମ୍ପର୍କରେ ହୋଇଥିବା ସମୀକ୍ଷା ଏବଂ ସେଥିରେ ନିଆଯାଇଥିବାକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରିବା, ସୁପ୍ରିମ କୋର୍ଟ କମିଟି ଦ୍ୱାରା ସଡକ ସୁରକ୍ଷା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାର କଡାକଡି ଅନୁପାଳନ, ଦୁର୍ଘଟଣା ବାବଦରେ ଠିକ ସମୟରେ ମିଳିତ ତଦନ୍ତ ରିପୋର୍ଟ ପ୍ରଦାନ ଇତ୍ୟାଦି ଉପରେ ବୈଠକରେ ସମୀକ୍ଷା କରାଯାଇଥିଲା । ବିଭିନ୍ନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଏବଂ ଦୁର୍ଘଟଣା ଉପରାନ୍ତ ମିଳିତ ତଦନ୍ତ କ୍ଷେତ୍ରରେ ଜାତୀୟ ରାଜପଥ କର୍ତୃପକ୍ଷ ଆବଶ୍ୟକୀୟ ସହଯୋଗ କରୁ ନ ଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ୩୫ଟି ବ୍ଲାକ ସ୍ପଟ ଟିହ୍ନଟ ହୋଇଥିବା ବେଳେ ସେଗୁଡିକର ଅନୁଧ୍ୟାନ ନିମନ୍ତେ ପରିବହନ ବିଭାଗ ଅଧିକାରୀ, ପୁଲିସ ଅଧିକାରୀ ଏବଂ ବିଭାଗୀୟ ରାଜପଥ ଅଧିକାରୀମାନଙ୍କୁ କୁହାଯାଇଛି । ଜାତୀୟ ରାଜପଥ, ରାଜ୍ୟ ରାଜପଥ ସମେତ ଜିଲ୍ଲାର ଅନ୍ୟାନ୍ୟ ରାସ୍ତାଗୁଡିକରେ ଚିହ୍ନଟ ହୋଇଥିବା ବ୍ଲାକସ୍ପଟ, ଡାଇଭର୍ସନ, ଦୁର୍ଘଟଣାପ୍ରବଣ ଅଂଚଳରେ ଜନସାଧାରଣଙ୍କ ସଚେତନତା ପାଇଁ ଉପଯୁକ୍ତ ସାଇନଜେ ଲଗାଇବା ଏବଂ ଆବଶ୍ୟକସ୍ଥଳେ କର୍ମଚାରୀଙ୍କୁ ମୁତୟନ କରିବା, ରାସ୍ତା ନିର୍ମାଣ ବା ମରାମତି କ୍ଷେତ୍ରରେ ଉପଯୁକ୍ତ ବାରିକେଡ୍ ସ୍ଥାପନ କରି ଜନସାଧାରଣଙ୍କୁ ସୂଚିତ କରିବା, ନିୟମିତ ବ୍ୟବଧାନରେ ସ୍ପିଡ ଲିମିଟ୍ ବୋର୍ଡ ଲଗାଇବା, ରାସ୍ତାରେ ଗାଈ, ଗୋରୁଙ୍କ ଚଳପ୍ରଚଳ ଉପରେ ରୋକ୍ ଲଗାଇବା, ସନ୍ତୋଷପୁର ଠାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଟୋଲ ଗେଟକୁ ଭାଙ୍ଗିଦେବା ପ୍ରଭୃତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରିବହନ ବିଭାଗ, ପୋଲିସ ବିଭାଗ, ଜାତୀୟ ରାଜପଥ କର୍ତୃପକ୍ଷ, ପୂର୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ କହିଥିଲେ । ବାଲେଶ୍ୱର ଜିଲ୍ଲାରେ କ୍ରମାଗତ ଦୁର୍ଘଟଣା ବୃଦ୍ଧି ପାଇବା ସହ ଏକ ଦୁର୍ଘଟଣାପ୍ରବଣ ଜିଲ୍ଲା ଭାବେ ଏହା ଚିହ୍ନଟ ହୋଇଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ କରିବାକୁ ନିୟମିତ ପାଟ୍ରୋଲିଂ, ଜରିମାନା ଆଦାୟ, ଡ୍ରାଇଭିଂ ଲାଇସେନ୍ସ ବାତିଲ ସମେତ ଅନ୍ୟାନ୍ୟ କଠୋର ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ସୁପ୍ରିମ କୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ ନିଶାସକ୍ତ ହୋଇ ଗାଡି ଚଳାଇବା, ଗାଡି ଚଲାଇବା ବେଳେ ମୋବାଇଲ ଫୋନର ବ୍ୟବହାର କରିବା, ଅତି ଦ୍ରୁତ ଗତିରେ ଗାଡି ଚଳାଇବା, କ୍ଷମତା ଠାରୁ ଅଧିକ ମାଲ ପରିବହନ କରିବା ଏବଂ ବିନା ହେଲମେଟରେ ଗାଡି ଚଳାଇବା ମାମଲାରେ କୌଣସି କୋହଳ ଆଚରଣ ପ୍ରଦର୍ଶନ ନ କରି ଅତି କମରେ ୩ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରିବା ନିମନ୍ତେ ଯେଉଁ ପ୍ରାବଧାନ ରହିଛି ତାହାକୁ ଲାଗୁ କରିବାକୁ ପୋଲିସ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୨୦ ମସିହାରେ ଜିଲ୍ଲାରେ ୧୬୪ଟି ଗୁରୁତର ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେଣୁ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ନେଇ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷ କରି ସଡକ ଦୁର୍ଘଟଣା ସମୟରେ ତ୍ୱରିତ ଉଦ୍ଧାର କାର୍ଯ୍ୟ କରାଯିବା ନିମନ୍ତେ ଆମ୍ବୁଲାନ୍ସ, ଆବଶ୍ୟକ ଯନ୍ତ୍ରପାତି ଉପଲବଧ କରାଯିବା ଏବଂ ଜରୁରୀକାଳୀନ ଡାକ୍ତରୀ ଚିକିତ୍ସା ସୁବିଧା ଯୋଗାଇଦେବା, ଜାତୀୟ ରାଜପଥରେ ହେଲ୍ପଲାଇନ ନମ୍ବରକୁ ସମସ୍ତଙ୍କ ଦୃଷ୍ଟିଗୋଚର ହେଲା ଭଳି ସ୍ଥାନିତ କରାଯିବା, ଦୁର୍ଘଟଣା ପୀଡିତଙ୍କୁ ହସ୍ପିଟାଲକୁ ଆଣିଥିବା ବ୍ୟକ୍ତିଙ୍କୁ ପରିବହନ ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ନିମନ୍ତେ ଯେଉଁ ପ୍ରାବଧାନ ରହିଛି ସେଥି ଲାଗି ସଚେତନତା ସୃଷ୍ଟି କରିବା ଏବଂ ଗୁଡ୍ ସାମାରିଟାନ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଜୋର ଦିଆଯାଇଥିଲା । ୨୦୨୦ ମସିହାରେ ବିଭିନ୍ନ ପରିବହନ ଆଇନ ଉଲ୍ଲଙ୍ଘନ ପାଇଁ ୧୨୮୫ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୩୫ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ତେବେ ଧରପଗଡକୁ ଆହୁରି ଜୋରଦାର କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ନାଲିବତୀ ଅତିକ୍ରମଣ, କ୍ଷୀପ୍ର ବେଗରେ ଗାଡି ଚଳାଇବା, ଓଭରଲୋଡିଂ, ମାଲବୁହା ଯାନରେ ଯାତ୍ରୀ ନେବା ଆଣିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଏବଂ ମଦ୍ୟପାନ, ନିଶା ସେବନ କରି ଗାଡି ଚଳାଇବା ଇତ୍ୟାଦି ଉପରେ ନଜର ରଖିବା ପାଇଁ ଇଂଟରସେପ୍ଟର ଯାନର ବ୍ୟବହାର କରିବା, ସିସିଟିଭି ଲଗାଇବା, ଟୋଲ ଗେଟରେ ଟୋଲ ଆଦାୟକୁ ସୁବ୍ୟବସ୍ଥିତ କରିବା, ସହରାଂଚଳ ମଧ୍ୟରେ ଟ୍ର୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ଇତ୍ୟାଦି ଉପରେ ବୈଠକରେ ଆଲୋଚନା ହୋଇଥିଲା । ଆମ ଦେଶରେ ସଡକ ଦୁର୍ଘଟଣା ଏକ ବଡ ବିପର୍ଯ୍ୟୟ ପାଲଟିଛି ଏବଂ ଏଥି ଯୋଗୁଁ ବ୍ୟାପକ ଧନଜୀବନ ହାନୀ ଘଟୁଛି । ଏଣୁ ଏଥିପ୍ରତି ସଜାଗ ରହିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ଦିନ ଧରି ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇପାରି ନ ଥିବା ବେଳେ ଏଣିକି ନିୟମିତ ବ୍ୟବଧାନରେ ବୈଠକର ଆହୂତ କରାଯାଇ ସଡକ ସୁରକ୍ଷା ବାବଦରେ ସମୀକ୍ଷା କରାଯିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୈଠକରେ ମତ ପ୍ରକାଶ ପାଇଥିଲା । ଆର.ଟି.ଓ. ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରା ଗୃହରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


