କାନ୍ଥ ଭୁଶୁଡ଼ି ଆଈ-ନାତିଙ୍କ ମୃତ୍ୟୁ: ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଜଳେଶ୍ୱର (ସରୋଜ ପଣ୍ଡା): ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତରେ ଦୁଇ ଦିନ ତଳେ କାନ୍ଥ ଭୁଶୁଡ଼ି ଶ୍ରାଧିକା ଜେନା ଓ ଜ୍ୟୋତିପ୍ରକାଶ ସ୍ୱାଇଁଙ୍କ ଅକାଳ ମୃତ୍ୟୁ ଘଟଣାରେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଘଟଣା ସମ୍ପର୍କରେ ଖବର ପାଇ ସାଂସଦ ଶ୍ରୀ ଷଡ଼ଙ୍ଗୀ ମୃତକଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ସ୍ମୃତିରେଖା ସ୍ୱାଇଁଙ୍କୁ ମଧ୍ୟ ସାଂସଦ ଭେଟିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚାଲିଥିବା ଚିକିତ୍ସା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଚିକିତ୍ସାରେ ଯେପରି କୌଣସି ପ୍ରକାର ଅବହେଳା ନହୁଏ, ସେଥିପ୍ରତି ମଧ୍ୟ ସାଂସଦ ଗୁରୁତ୍ୱାରୋପ କରିଥିଲେ। ସେହିପରି ତହସିଲଦାର, ବିଡିଓ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ପୀଡ଼ିତ ପରିବାରଙ୍କୁ ସରକାରୀ ସହାୟତା ଓ ସ୍ପେଶାଲ ଆସିଷ୍ଟାନ୍ସ ପ୍ରଦାନର ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଥିବା ସାଂସଦ କହିଥିଲେ। ଏଥିସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମୃତକ ଦୁଇଜଣଙ୍କ ପରିବାରକୁ ତୁରନ୍ତ ସହାୟତା ଭାବେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନର ବ୍ୟବସ୍ଥା କରାଯାଇଥିବା ସାଂସଦ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଏହି ସହାୟତା ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ପରିବାରକୁ ପ୍ରଦାନ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଥିବା ବେଳେ ପୀଡ଼ିତ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ ଆଲୋଚନା ଓ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଦିଗରେ ପ୍ରଶାସନ ତତ୍ପର ରହିବାକୁ ସାଂସଦ ଗୁରୁତ୍ୱ ଦେଇଛନ୍ତି।


