ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ : ଅଭିଯୁକ୍ତ ଗିରଫ

ଛତ୍ରପୁର,(ଓ୍ବାଇଏନଏସ) : ବେକାର ଯୁବକ ଓ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି ଗଞ୍ଜାମ ପୁଲିସ। ଚାକିରି ଦେବା ନାଁରେ ଜଣେ ଯୁବକଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ ମାମଲାରେ ଛତ୍ରପୁର ଥାନା ପୁଲିସ ଭଦ୍ରକ ଜିଲ୍ଲା ଧୁସୁରୀ ଅଞ୍ଚଳର ପଞ୍ଚାନନ ପଣ୍ଡା (୪୨)ଙ୍କୁ ଗିରଫ କରିଛି। ମଙ୍ଗଳବାର ଛତ୍ରପୁର ଠାରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଏକ ନକଲି ନିଯୁକ୍ତି ସଂସ୍ଥା ଗଠନ କରି ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିଲେ। ପରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାର ନିଯୁକ୍ତି ବିଜ୍ଞାପନକୁ ଅପବ୍ୟବହାର କରି ଚାକିରି ଆଶାୟୀଙ୍କୁ ଯୋଗାଯୋଗ କରିବାକୁ ପ୍ରଲୋଭିତ କରୁଥିଲେ। ନିଜକୁ ସଂସ୍ଥାର ମୁଖ୍ୟ ଭାବେ ପରିଚୟ ଦେଇ ମୋବାଇଲ ଫୋନ୍ ଜରିଆରେ ବିଶ୍ୱାସ ଜିତିବା ପରେ ଚାକିରି ଯୋଗାଇ ଦେବା ନାଁରେ ଟଙ୍କା ଆଦାୟ କରୁଥିଲେ। ଟଙ୍କା ହାତେଇବା ପରେ ମୋବାଇଲ ନମ୍ବର ବନ୍ଦ କରି ଓ ଠିକଣା ବଦଳାଇ ଫେରାର ହୋଇଯାଉଥିଲେ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଏଭଳି ଭାବେ ବହୁ ବେକାର ଯୁବକ-ଯୁବତୀଙ୍କ ଠାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଛନ୍ତି। ୬୧ ଜଣଙ୍କୁ ଜାଲ ନିଯୁକ୍ତିପତ୍ର ଦେଇଥିବା ବେଳେ ଆହୁରି ୨୬ ରୁ ଅଧିକା ଜଣଙ୍କ ପାଇଁ ଜାଲ ନିଯୁକ୍ତିପତ୍ର ପ୍ରସ୍ତୁତ ରଖିଥିଲେ। ଅଭିଯୁକ୍ତ ଆକାଉଣ୍ଟ ପେ, ଫୋନ୍‌ପେ ଓ ପେଟିଏମ୍ ମାଧ୍ୟମରେ ଟଙ୍କା ଆଦାୟ କରୁଥିବା ପୁଲିସ କହିଛି। ଏହି ଠକେଇର ଶିକାର ହୋଇଥିବା ଛତ୍ରପୁର ଥାନା ଅନ୍ତର୍ଗତ ରାମଲକ୍ଷ୍ମୀ ନଗରର ଦେବୀପ୍ରସାଦ ଦାଶ (୨୩) ଏକ ଖବରକାଗଜରେ ପ୍ରକାଶିତ ବ୍ୟାଙ୍କ ନିଯୁକ୍ତି ବିଜ୍ଞାପନ ଦେଖି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ପଞ୍ଚାନନ ପଣ୍ଡା ତାଙ୍କୁ ଏସ୍‌ବିଆଇରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୟୁନିଫର୍ମ, ସିକ୍ୟୁରିଟି ଡିପୋଜିଟ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପର୍ଯ୍ୟାୟକ୍ରମେ ୫୦ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଚାକିରି ନ ଦେଇ ପୁଣି ଅଧିକ ଟଙ୍କା ଦାବି କରିଥିଲେ। ସନ୍ଦେହ ହେବାରୁ ଦେବୀପ୍ରସାଦ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ମୋବାଇଲ ନମ୍ବର ବନ୍ଦ ଥିବା ଜାଣିବାକୁ ପାଇଥିଲେ। ପରେ ସେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛତ୍ରପୁର ଥାନା କେସ୍ ନଂ–୩୯୪, ତାରିଖ ୨୮.୦୬.୨୦୨୫ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ପୁଲିସ ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ ଫୋନ୍, ୨୬ଟି ଖାଲି ନିଯୁକ୍ତିପତ୍ର, ୬୧ଟି ଜାଲ ନିଯୁକ୍ତିପତ୍ର, ୨୫ଟି ଜାଲ ପରିଚୟପତ୍ର, ୯ଟି ବିଜ୍ଞାପନ ଲେଟରପ୍ୟାଡ୍, ୬ଟି ବ୍ୟାଙ୍କ ପାସବୁକ୍, ୨ଟି ଏଟିଏମ୍ କାର୍ଡ, ଚାକିରି ପ୍ରାର୍ଥୀଙ୍କ ବାୟୋଡାଟା ଥିବା ନୋଟବୁକ୍ ଓ ୮ଟି ପାସପୋର୍ଟ ସାଇଜ୍ ଫଟୋ ଜବତ କରିଛି। ଅଭିଯୁକ୍ତ   ୨ ବର୍ଷ ହେଲା ଏହି କାମ ରେ ସମ୍ପୃକ୍ତ ରହିଛନ୍ତି l   ୨ ଟା ଫେକ ଆଇଡ଼ି କାର୍ଡ ଅଛି l ଏହା ସହିତ ଅଭିଯୁକ୍ତ ଙ୍କ ବିରୋଧରେ ଭଦ୍ରକ ଜିଲ୍ଲାର ଧୁସୁରୀ ଥାନାରେ ପୂର୍ବରୁ ମଧ୍ୟ ଠକେଇ ସମ୍ବନ୍ଧୀୟ ମାମଲା ରହିଛି।  ଏହି ଜାଲିଆତି ଚକ୍ରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ କେତେ ଲୋକ ଏହାର ଶିକାର ହୋଇଛନ୍ତି, ସେନେଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ଶ୍ରୀ ବିଶି ସୂଚନା ଦେଇଛନ୍ତି। ଏହା ସହ ଯେଉଁମାନେ ଏପରି ଠକେଇର ଶିକାର ହୋଇଛନ୍ତି, ସେମାନେ ନିର୍ଭୟରେ ପୁଲିସ ନିକଟରେ ଅଭିଯୋଗ କରିବାକୁ ଗଞ୍ଜାମ ଏସ୍‌ପି ଆହ୍ୱାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ ଓ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ