କାରଖାନାରେ ଶ୍ରମିକ ମୃତ୍ୟୁକୁ ନେଇ ଉତେଜନା

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍ ପ୍ଲାନ୍ଟ ରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଉକ୍ତ କାରଖାନାରେ ନିୟୋଜିତ ଥିବା ଏଲ୍‌.ଏନ୍‌. ଦାସ ଠିକା ସଂସ୍ଥାରେ କମାରଯୋଡା ଅଂଚଳ ମୁଣ୍ଡା ସାହିର ରବି କେରାଇ ହେଲପର ଭାବେ କାର୍ଯ୍ୟ କରନ୍ତି । ଶନିବାର ଦିନ ମଧ୍ୟାନ୍ନ ପ୍ରାୟ ୧୨.୩୦ ମିନିଟ୍ ସମୟରେ ରବି କେରାଇ କାରଖାନାରେ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ଗୁରୁତର ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲା । ପରଦିନ ଅର୍ଥାତ ରବିବାର ଦିନ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜାମସେପୁରସ୍ଥିତ ଟିଏମଏଚ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସୋମବାର ସନ୍ଧ୍ୟା ପ୍ରାୟ ୫.୨୫ ମିନିଟ୍ ସମୟରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ପରେ କମ୍ପାନୀର ଠିକାସଂସ୍ଥା ପକ୍ଷରୁ ରବି କେରାଇ ଙ୍କ ମୃତ ଶରୀରକକୁ କମାରଯୋଡାସ୍ଥିତ ତାଙ୍କ ଘରେ ଛାଡିଦେଇ ଚାଲିଯାଇଥିଲେ । କମ୍ପାନୀ ପକ୍ଷରୁ କିମ୍ବା ଠିକାସଂସ୍ଥା ପକ୍ଷରୁ ରବି କେରାଇଙ୍କ ପରିବାରକୁ କୌଣସି କ୍ଷତିପୂରଣ ନଦିଆଯିବାରୁ ସ୍ଥାନୀୟ ଅଂଚଳବାସୀ ତଥା ପରିବାର ପକ୍ଷରୁ ତାଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଓ ଆର୍ଥିକ କ୍ଷତିପୂରଣ ରାଶି ବାବଦକୁ ୨୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ମାତ୍ର ଠିକାସଂସ୍ଥା ପକ୍ଷରୁ ଉକ୍ତ ଟଙ୍କା ପ୍ରଦାନ ଦିଆଯାଇପାରିବ ନାହିଁ ବୋଲି ରୋକ୍ ଠୋକ ମନା କରାଯାଇଥିଲା । ପରିବାର ଲୋକେ ଓ ସ୍ଥାନୀୟ ଅଂଚଳବାସୀ ଦାବି ପୂରଣ ନକଲେ ଉକ୍ତ ପ୍ଲାନ୍ଟ ଗେଟ୍ ସମ୍ମୁଖରେ ଶବ ରଖି ଧାରଣା ଦେବେ ବୋଲି କହିବାରୁ ଠିକାସଂସ୍ଥା ପକ୍ଷରୁ ତାଙ୍କ ପରିବାରକୁ ନଗଦ ୩ ଲକ୍ଷ ଟଙ୍କା ଏବଂ ଏକ ମାସ ପରେ ଆଉ ୧ଲକ୍ଷ ଟଙ୍କା ଦିଆଯିବା ସହିତ ସୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ରାଶି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ତାଙ୍କ ପରିବାର ପକ୍ଷରୁ ରବି କେରାଇଙ୍କ ବଡ ଭଉଣୀ ମୀନା ମୁଣ୍ଡା ଓ ତାଙ୍କ ପତ୍ନୀ ପ୍ୟାରୀ କେରାଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ରବି କେରାଇଙ୍କ ପତ୍ନୀ ପ୍ୟାରୀ କେରାଇ କହିଥିଲେ ଯେ ରବି କେରାଇଙ୍କର ପୂର୍ବରୁ କୌଣସି ରୋଗ ନଥିଲା ଏବଂ ସେ କାରଖାନାରେ କେମିତି ମୃତ୍ୟୁବରଣ କଲେ ସେ କିଛି ଜାଣିନାହାନ୍ତି ହେଲେ ଠିକାସଂସ୍ଥା ପକ୍ଷରୁ ରବି କେରାଇଙ୍କର ରକ୍ତଚାପ ବୃଦ୍ଧି ଘଟିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଛି । ରବି କେରାଇଙ୍କ ମୃତ୍ୟୁ ଘଟିବା ପରେ କମ୍ପାନୀ କିମ୍ବା ଠିକାସଂସ୍ଥା ପକ୍ଷରୁ ପୋଲିସକୁ ନଜଣାଇ ତାଙ୍କ ମୃତ ଶରୀରକୁ ଘରେ ଆଣି ଛାଡିଦେଇ ଚାଲିଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ବରଂ ଅର୍ଥ କାରବାର କରି ପୋଲିସ ଠାରୁ ବଂଚିବା ପାଇଁ ଚେଷ୍ଟା ଚାଲିଛି । ରବି କେରାଇଙ୍କ ପରିବାର ଗରିବ ଓ ଅଶିକ୍ଷିତ ହୋଇଥିବାରୁ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ପୋଲିସ ପ୍ରଶାସନ ଉଚିତ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ଟାଟାଷ୍ଟିଲ କର୍ପୋରେଟ କମ୍ୟୁନିକେସନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେହେତୁ ଶ୍ରମିକଙ୍କ ମୃତ୍ୟୁ ଜାମସେଦପୁର ଟିଏମଏଚ ଡାକ୍ତରଖାନାରେ ହୋଇଛି , ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟିଏମଏଚ ଡାକ୍ତରଖାନା ସହିତ ଯୋଗାଯୋଗ କରି ତଥ୍ୟ ନେବା ପରେ ସେ ଏବାବଦରେ ସ୍ପଷ୍ଟୀକରଣ ଦେଇପାରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ