କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି । ଏକଦା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖରିଡ଼ା, ଆଲପୁର, ରାଳବ, ସିକିରି, ଖଣ୍ଡରା, ଚାନ୍ଦୁଲି , ଶାସନ ଆମ୍ବଗାଁ, ଆଲପୁର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରାଯାଉଥିଲା କିନ୍ତୁ ସେପ୍ଟେମ୍ବର ମାସ ସମେତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଗତ ୨ ମାସ ଧରି ବର୍ଷା ନହେବା ଯୋଗୁଁ ଯୋଗୁଁ ସ୍ଥାନୀୟ ବ୍ଳକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ ପ୍ରଚୁର ପରିମାଣରେ ଅମଳ ହୋଇପାରିନାହିଁ । ଯାହା ଫଳରେ ପରିବା ପାଇଁ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ ହେଉଥିବା ପନିପରିବା ବହୁଳ ପରିମାଣରେ ବାହାର ଅଞ୍ଚଳକୁ ରପ୍ତାନି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଓଷା ବ୍ରତ ତଥା ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନି । ତେଣୁ ଏହି ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବାର ଚାହିଦା ବେଶ୍ ଅଧିକ । ଗତ କିଛି ଦିନରେ ପରିବା ଦର ଢେର ଅଧିକ ରହିଥିବାରୁ ଖାଉଟିଙ୍କ ପକେଟକୁ ଢିଲା କରୁଛି ପରିବା ଦର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ ଟଙ୍କା ରହିଥିବା ବେଳେ ପିଆଜ ୭୦, ଟମାଟୋ ୪୦ରୁ ୪୫, ଫୁଲକୋବି ୮୦, ବିନ୍ସ ୧୦୦ ରୁ ୧୨୦, ପୋଟଳ ୬୦, ସାରୁ ୪୦, ଭେଣ୍ଡି ୪୦, ବନ୍ଧାକୋବି ୪୦ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଗୋବର୍ଦ୍ଧନ ଝଟା ଓ ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା , କଞ୍ଚା ଲଙ୍କା ୧୪୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଖୋସଡା ଶାଗ ବିଡା ୧୫ରୁ ୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତ୍ତିକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତ୍ତିକରେ ଆମିଷ ଖିଆ ବନ୍ଦ ଥିବାରୁ ପରିବା ଦର ବାଧୁଛି, ଆବଶ୍ୟକ ଠାରୁ କମ୍ ପରିମାଣରେ ନେଇ କାମ ଚଳାଇବାକୁ ପଡୁଛି ବୋଲି କିଛି ଗ୍ରାହକ କହିଛନ୍ତି । ଗରିବ ପରିବାରର ହାଣ୍ଡିଶାଳରେ ସତେଯେମିତି ବଜ୍ରପ୍ରହାର ପଡିଛି।