କିମଙ୍କ ପାଇଁ ମେଡିକାଲ ଏକ୍ସପର୍ଟ ଟିମ୍ ପଠାଇଲା ଚୀନ
ବେଜିଂ/ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ ମୁଖ୍ୟ କିମ୍ ଜଙ୍ଗ ଉନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଅସ୍ତ୍ରୋପଚାର ପରେ କିମଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହିପରି ସ୍ଥିତିରେ ସରକାରୀ ଭାବେ ଉତ୍ତର କୋରିଆ କିମ୍ବା ରିପୋର୍ଟ ପ୍ରକାଶ ପାଇଥିବା ଦେଶମାନଙ୍କ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କିମଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ଖବରକୁ ଖଣ୍ଡନ କରିଛନ୍ତି। ହେଲେ ସେ ଏନେଇ ଉତ୍ତର କୋରିଆ ଅଫିସିଆଲଙ୍କ ସହ କଥା ହୋଇଛନ୍ତି କି ନାହିଁ ସେନେଇ କିଛି ସ୍ପଷ୍ଟ କରି ନାହାନ୍ତି। ଏହିପରି ସ୍ଥିତିରେ ଚୀନର ଏକ ମେଡିକାଲ ଏକ୍ସପର୍ଟ ଟିମ୍ ଉତ୍ତର କୋରିଆ ଗସ୍ତ କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ମାତ୍ର ଚୀନ ସରକାର ମଧ୍ୟ ଏନେଇ ନିରବତା ଅବଲମ୍ବନ କରିଛନ୍ତି। ରଏଟର୍ସ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ମାତ୍ର କିମଙ୍କ ଅବସ୍ଥା କ’ଣ, ସେନେଇ କେହି କିଛି କହିବାକୁ ପ୍ରସ୍ତୁତ ନୁହନ୍ତି। ଯାହାକିଛି ପ୍ରକାଶ ପାଇଛି, ତାହା ଗଣମାଧ୍ୟମ ରିପୋର୍ଟ ଜରିଆରେ ପଦାକୁ ଆସିଛି। କିମଙ୍କ ପରିବାରରେ ହୃଦଘାତଜନିତ ସମସ୍ୟା ରହିଛି। ତାଙ୍କ ବାପା ମଧ୍ୟ ୨୦୧୧ରେ ହୃଦଘାତରେ ପ୍ରାଣ ହରାଇଥିଲେ। ତେଣୁ ଏହିପରି ସ୍ଥିତିରେ କିମଙ୍କ ପ୍ରକୃତ ଅବସ୍ଥା କ’ଣ ତାହାକୁ ନେଇ ସଂଶୟ ବଢ଼ିବାରେ ଲାଗିଛି।


