କୁଆଁରୀ ମା’ଙ୍କ ଲୁହଭରା କାହାଣୀ
ପୁଣେ : “ମୁଁ ବାହା ହେବିନି ସତ, କିନ୍ତୁ ମୋର ବି ଛୁଆଟିଏ ଦରକାର’ । କିଛି ଏଭଳି ଚିନ୍ତାଧାରା ନେଇ ୨୦୧୩ ମସିହାରେ ମହାରାଷ୍ଟ୍ର ପୁଣେର ଅମିତା ମରାଠେ ଶିଶୁ କନ୍ୟାକୁ ଆପଣେଇଥିଲେ । ଅମିତାଙ୍କ ଏହି ନିଷ୍ପତ୍ତିକୁ ପରିବାର ସଦସ୍ୟ ବି ସମର୍ଥନ କରିଥିଲେ । ତେବେ ଅମିତା ଜଣେ କର୍ମଜୀବୀ ମହିଳା ହୋଇଥିବାରୁ ବର୍ଷକର ଶିଶୁଟିଏ ଆପଣେଇବାକୁ ମନସ୍ଥ କରିଥିଲେ । କିନ୍ତୁ ଯେତେବେଳେ ସେ ଚାଇଲଡ ଆଡ଼ପସନ ସେଣ୍ଟରରେ ପହଞ୍ଚିଥିଲେ ସେତେବେଳେ ୫ ମାସର ଶିଶୁକନ୍ୟାକୁ ଆପଣେଇବାକୁ ଅମିତାଙ୍କୁ କୁହାଯାଇଥିଲା । ପ୍ରଥମେ ଅମିତା ଟିକେ ହଡ଼ବଡ଼େଇ ଯାଇଥିଲେ ବି ପରେ କିନ୍ତୁ ଶିଶୁ କନ୍ୟାକୁ ଆପଣେଇଥିଲେ ।
ସମସ୍ତ ପ୍ରକ୍ରିୟା ସରିବା ପରେ କୁନି ଝିଅଟିକୁ ଘରକୁ ନେଇ ଆସିଥିଲେ ଅମିତା । ଶିଶୁଟିର ନାମ ଦେଇଥିଲେ “ଅଦ୍ୱେତା’ । ପରେ ଜଣାପଡ଼ିଥିଲା ଯେ ଅଦ୍ୱେତାର ହୃତ୍ପିଣ୍ଡ ଜନିତ ସମସ୍ୟା ରହିଛି, ଯାହାକୁ ନେଇ ଅମିତା କିଭଳି ଶିଶୁକୁ ଆରୋଗ୍ୟ କରିବେ ସେ ନେଇ ଚିନ୍ତାରେ ପଡ଼ିଥିଲେ । ତେବେ ଝିଅକୁ ନେଇ ଚିକିତ୍ସା କରିବା ସମୟରେ ବାଧକ ସାଜିଥିଲା ଅଫିସ । ଏଥିପାଇଁ ଅମିତା ନିଜ ଚାକିରି ପ୍ରତି ଗୁରୁତ୍ୱ ନ ଦେଇ, ଝିଅର ଚିକିତ୍ସାରେ ଲାଗିପଡ଼ିଥିଲେ । ଅମିତାଙ୍କ ଏହି ପ୍ରୟାସ ଅଦ୍ୱେତାକୁ ନୂଆ ଜୀବନ ଦେଇଥିଲା । ଅଦ୍ୱେତା ସୁସ୍ଥ ହୋଇଥିବା ଦେଖି ଅମିତାଙ୍କ ଖୁସି କହିଲେ ନ ସରେ । ଏବେ ଅଦ୍ୱେତା ନିଜର ଷଷ୍ଠ ଜନ୍ମଦିନ ପାଳନ କରିଛି । ତେବେ ଅଦ୍ୱେତା ଖୁବଶୀଘ୍ର ଆଉ ଏକ କୁନି ଭାଇ ବା ଭଉଣୀ ସ୍ୱାଗତ କରିବାକୁ ଯାଉଛି । ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁନି, ପ୍ରକୃତରେ ଅମିତା ଏବେ ଦ୍ୱିତୀୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଅଦ୍ୱେତା ଏକୁଟିଆ ହୋଇଯାଉଥିବାରୁ ତା’ ସହ ଖେଳିବା ପାଇଁ ଆଉ ଏକ ଛୁଆକୁ ଗ୍ରହଣ କରିବାକୁ ଅମିତା ନିଷ୍ପତ୍ତି ନେଇଛନ୍ତି ।


