କୁମାର ପୂର୍ଣ୍ଣିମାରେ ଜୁଆ ଧରାପଡ଼ିଲେ ୨୫୯ ଜୁଆଡ଼ି, ୯ ଲକ୍ଷ ୪ହଜାର ୯୬ ଜବତ
ବ୍ରହ୍ମପୁର : କୁମାର ପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ପୁଲିସ ଜିଲ୍ଲା ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ସମସ୍ତ ଥାନା ଇଲାକାରେ ଜୁଆଡ଼ି ଧରପଗଡ଼ ଅଭିଯାନକୁ ଜୋର୍ କରିଥିଲା । ଗତକାଲି ଦିନକ ମଧ୍ୟରେ ଉଭୟ ପୁଲିସ ଜିଲ୍ଲାରୁ ୨୫୯ ଜୁଆଡ଼ି ଗିରଫ ହୋଇଥିବା ବେଳେ ସେମାନଙ୍କଠୁ ମୋଟ ୯ ଲକ୍ଷ ୪ ହଜାର ୯୬ ଟଙ୍କା ଜବତ କରାଯାଇଛି । ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗତ ରାତିରେ ଚଢ଼ଉ କରାଯାଇ ମୋଟ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଲକ୍ଷ ୨୪ ହଜାର ୨୧୫ ଟଙ୍କା, ୨୪ଟି ମୋବାଇଲ ଓ ୪ଟି ବାଇକ ଜବତ ହାଇଛି ବୋଲି ଏଏସ୍ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାର ୧୭ଟି ଥାନା ଇଲାକାରେ ଚାଲିଥିବା ୩୨ଟି ଜୁଆ ଖେଳ ଉପରେ ଚଢ଼ଉ ସହ ସମୁଦାୟ ୧୬୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମୁଦାୟ ୪ଲକ୍ଷ ୭୯ହଜାର ୮୮୧ଟଙ୍କା ଜବତ ହୋଇଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ଜୁଆଡ଼ି ଗିରଫ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଥାଉକି, ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣିମାରେ ଜୁଆ ଖେଳିବା ଏକ ପରମ୍ପରା ବୋଲି କୁହାଯାଏ । ଲକ୍ଷ୍ମୀଙ୍କଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ କୁମାର ପୂର୍ଣ୍ଣିମାରେ କଉଡ଼ି ଖେଳି ହାରିଥିବାରୁ ଏହାକୁ ପରମ୍ପରା ଭାବେ ପାଳନ କରାଯାଇ ଆସୁଛି । ତେବେ ଦିନକୁ ଦିନ ଏହି ପରମ୍ପରା କଳୁଷିତ ହେବାରେ ଲାଗିଛି । କୁମାର ପୂର୍ଣ୍ଣିମାର ୧୫ ଦିନ ପୂର୍ବରୁ ଆରମ୍ଭ ହୋଇଯାଉଛି ଜୁଆ ଆଡ଼ା । ଜୁଆ ଖେଳ ଅର୍ଥ ରୋଜଗାର ପାଇଁ ଏକ ନିଶା ପାଲିଟିଛି । କିଛି ଲୋକ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇଯାଉଛନ୍ତି ।


