ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ
ଭୁବନେଶ୍ୱର: ସୋମବାର ୧୨୦ ବାଟାଲିୟନରେ ଏକ ନିଯୁକ୍ତି ପରୀକ୍ଷା ରହିଛି । ଏଥିରେ ଭାଗ ନେବା ପାଇଁ ରାଜ୍ୟ ବାହାରୁ ହଜାର ହଜାର ପ୍ରତିଯୋଗୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରେଳ ଷ୍ଟେସନଠାରୁ ୧୨୦ ବାଟାଲିୟନ ପର୍ଯ୍ୟନ୍ତ ଫୁଟପାଥ୍ ଭର୍ତ୍ତି ହୋଇଥିବା ବେଳେ ଯିଏ ଯେଉଁଠି ପାରିଛି ଶୋଇଯାଇଛି । ୟୁନିଟ୍-୪ରେ ଥିବା ଏମଏଲଏ କଲୋନି ସାମ୍ନା ପାର୍କ ଏହି ପ୍ରତିଯୋଗୀଙ୍କ ଭିଡ଼ରେ ଉଛୁଳୁଛି । ଗୋଟିଏ ସ୍ଥାନରୁ ଅନେକ ସଂଖ୍ୟାରେ ଆସିଥିବାରୁ ଏମାନେ ବିଭିନ୍ନ ସ୍ଥାନରେ ଦାଦାଗିରି ଦେଖାଇଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ଟ୍ରେନରେ ଏମାନେ ବିନା ଟିକେଟରେ ଆସିଛନ୍ତି । ଏଥିପାଇଁ ରେଳବାଇ ପକ୍ଷରୁ ଯାଞ୍ଚ କରାଯାଇ ୫୬ଜଣଙ୍କୁ ଜରିମାନା କରାଯାଇଛି । ଷ୍ଟେସନରେ ଶୋଇ ରହି ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାରୁ ରେଳବାଇ ପକ୍ଷରୁ ଏମାନଙ୍କୁ ଘଉଡ଼ା ଯାଉଥିବା ଦେଖାଯାଇଛି । ସେହିଭଳି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏକ ଜଳଖିଆ ଦୋକାନରେ କେତେକ ଯୁବକ ଖାଇ ଟଙ୍କା ଦେଇନଥିଲେ । ବେପାରୀକୁ ଧମକ ଚମକ ଦେଇ ପଳାଇବାକୁ ଉଦ୍ୟମ କରିଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସକୁ ଦେଖି ଗିରଫ ଭୟରେ ଯୁବକମାନେ ଟଙ୍କା ଦେବା ସହ କ୍ଷମା ପ୍ରାର୍ଥନା କରି ଘଟଣାସ୍ଥଳରୁ ଯାଇଥିଲେ ।
ମାଷ୍ଟର କ୍ୟାଣ୍ଟିନ୍ ଛକରେ ଯୁବକମାନେ ଏକ ଫଳ ଦୋକାନରୁ ଫଳ କିଣିବା ବେଳେ ଚୋରି କରିଥିଲେ । ୬ଜଣ ଯୁବକ ପକେଟ୍ ଯାଞ୍ଚ କରି ୨ କେଜିରୁ ଅଧିକ ଫଳ ବାହାର କରାଯାଇଥିଲା । ଏ ନେଇ କେତେକ ପୁଲିସ କମିସନରଙ୍କୁ ଟ୍ୱିଟ୍ କରି ଜଣାଇବା ପରେ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଶ୍ୱାସନା ଦେଇଛନ୍ତି । ଶ୍ରୀ ଷଡ଼ଙ୍ଗୀ ଲେଖିଛନ୍ତି ଯେ ୧୨୦ ବାଟାଲିୟନ ପକ୍ଷରୁ ଏମାନଙ୍କର ରହିବା ବ୍ୟବସ୍ଥା କରିବା କଥା? କିମ୍ବା କମିସନରେଟ୍ ପୁଲିସର ସହାୟତା ନେବା କଥା । ବିଳମ୍ବିତ ରାତିରେ ଏଥିପାଇଁ କୌଣସି ବ୍ୟବସ୍ଥା କରିବା ସହଜ କଥା ନୁହେଁ । ତେବେ ଏମାନଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ ।


