ପାରିବାରିକ କଳହରେ ପତ୍ନୀକୁ ହତ୍ୟା କରିବା ମାମଲା: ସ୍ୱାମୀକୁ ୭ ବର୍ଷ ଜେଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରିବାରିକ କଳହକୁ କେନ୍ଦ୍ର କରି ଦାଆରେ ନିଜ ପତ୍ନୀଙ୍କ ବେକ କାଟି ହତ୍ୟା କରିବା ଅଭିଯୋଗରେ ପତ୍ନୀହନ୍ତା ସ୍ୱାମୀକୁ 7 ବର୍ଷ ସଶ୍ରମ ଜେଲ ଦଣ୍ଡ ହୋଇଥିବା ସୂଚନା ମିଳିଛି. ଏଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଗଜପତି ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁପ୍ରସାଦ ପଣ୍ଡା ଅଭିଯୁକ୍ତ ଗଙ୍ଗା ବଡ଼ମୁଣ୍ଡି (୫୦) ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ଦୋଷୀ ସାବ୍ୟସ୍ତ ଗଙ୍ଗାକୁ କୋର୍ଟ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାର ସଜା ଶୁଣାଇଛନ୍ତି । ଜରିମାନା ଅନାଦେୟ ସ୍ଥଳେ ଆହୁରି ଛଅ ମାସ ଜେଲଦଣ୍ଡ ଭୋଗ କରିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବା ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ, ବିଗତ ୨୦୨୧, ଡିସେମ୍ବର ୨୯ ତାରିଖରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଙ୍ଗା ନିଜପତ୍ନୀ ସଜନୀ ବଡ଼ମୁଣ୍ଡିଙ୍କ ବେକକୁ ଦାଆରେ ଆକ୍ରମଣ କରିଥିଲେ। ଏଥିରେ ସଜନୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତକଙ୍କର ଭାଇ ମଙ୍ଗଳ ମାଝି ଏନେଇ ଗାରାବନ୍ଧ ଥାନାରେ ଅଭିଯୋଗ କରିଥିଲେ। ଗାରାବନ୍ଧ ପୁଲିସ କେସ୍ ନଂ ୧୦୫/୨୧ରେ ମାମଲା ରୁଜୁ କରିଥିବା ବେଳେ ତତ୍କାଳୀନ ଥାନାଧିକାରୀ ସର୍ବେଶ୍ଵର ସାମନ୍ତରାୟ ଏହାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ୧୫ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଥିବା ବେଳେ ମୃତକଙ୍କ ତିନି ଝିଅଙ୍କ ଭବିଷ୍ୟତକୁ ନଜରରେ ରଖି ସେମାନଙ୍କୁ ୩ଲକ୍ଷ ଟଙ୍କା (ଜଣ ପିଛା ୧ଲକ୍ଷ ଟଙ୍କା) ଦେବା ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।


