କେଉଁଠି ମାଡ଼ ହେବ “ବୁଲ୍‌ବୁଲ୍‌’? ଆଜି ବାତ୍ୟା ରୂପ ନେବ ଅବପାତ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପୂର୍ବାହ୍ନରେ ଅବପାତରେ ପରିଣତ ହୋଇଥିଲା । ଏହା ଅଧିକ ଘନୀଭୂତ ହୋଇ ରାତି ପ୍ରାୟ ୧୨ଟା ବେଳକୁ ଗଭୀର ଅବପାତ ରୂପ ନେଇଛି । ବୁଧବାର ତଥା ନଭେମ୍ବର ୬ ତାରିଖ ପୂର୍ବାହ୍ନ ସୁଦ୍ଧା ଏହା ବାତ୍ୟା(ବୁଲ୍‌ବୁଲ୍‌) ରେ ପରିଣତ ହୋଇ ପ୍ରଥମେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇପାରେ । ତେବେ କେଉଁଠି ସ୍ଥଳ ଭାଗ ଛୁଇଁବ ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରାଯାଇ ନାହିଁ ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ସମ୍ଭାବ୍ୟ ବାତ୍ୟା ରାତି ୯ଟା ୧୫ ସୁଦ୍ଧା ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ସେହିଭଳି ଏହା ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜଠାରୁ ୯୬୦ ଓ ବାଂଲାଦେଶର ଖେପୁପାରାଠାରୁ ୯୭୦ କିମି ଦୂରରେ ରହି ଶକ୍ତି ଗୋଟାଉଛି । ୬ ତାରିଖ ଅପରାହ୍ନରେ ଏହା ବାତ୍ୟା ରୂପ ନେବା ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୭୫ରୁ ୯୫ କିମି ରହିବ । ୭ ତାରିଖ ପୂର୍ବାହ୍ନ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବ । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବା ସହିତ ସ୍ଥଳବିଶେଷରେ ୧୩୫ କିମି ବେଗରେ ଝଟକା ଦେବ । ୮ ତାରିଖ ପୂର୍ବାହ୍ନ ବେଳକୁ ଏହା ଅତିଭୀଷଣ ବାତ୍ୟାର ରୂପ ନେବ ଏବଂ ଘଣ୍ଟାପ୍ରତି ପବନର ବେଗ ୧୪୫ କିମି ଛୁଇଁସାରିଥିବ । ତେବେ ଏହି ସମୟରେ ବାତ୍ୟା ସମୁଦ୍ର ଭିତରେ ରହିଥିବ ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ରାତି ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟାର ବିପଦ ଓଡ଼ିଶା ଉପରୁ ଟଳି ନାହିଁ । ବର୍ତମାନର ସ୍ଥିତି ଅନୁଯାୟୀ ବାତ୍ୟା ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶର ଯେକୌଣସି ସ୍ଥାନରେ ଉପକୂଳକୁ ସ୍ପର୍ଶ କରିପାରେ । ତେବେ ୬ ତାରିଖ ଦିନ ଏ ନେଇ ଚିତ୍ର ସ୍ପଷ୍ଟ ହେବ ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ୯ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳଠାରୁ ଯଥେଷ୍ଟ ଦୂରରେ ଅର୍ଥାତ୍ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଲ୍‌ବୁଲ୍ କେନ୍ଦ୍ରୀଭୂତ ହେବ । ତେବେ ସେଠାରେ ଦିଗ ପରିବର୍ତନ କରି ଉତ୍ତର କିମ୍ବା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଧିକ ରହିଛି । ୧୦ ତାରିଖ ସନ୍ଧ୍ୟା ପରେ ବାତ୍ୟାର ଗତି ବଢିବ ଓ ଦୂର୍ବଳ ହେବା ଆରମ୍ଭ କରିବ । ୧୧ ତାରିଖ ସନ୍ଧ୍ୟା କିମ୍ବା ୧୨ ତାରିଖରେ ପଶ୍ଚିମବଙ୍ଗ ନ ହେଲେ ବାଂଲାଦେଶ ଉପକୂଳ ସ୍ପର୍ଶ କରିଲା ବେଳକୁ ଦୁର୍ବଳ ହୋଇଯାଇଥିବ । ଏହି ଆକଳନ ଅନୁଯାୟୀ ୯ ଓ ୧୦ ତାରିଖରେ ଉପକୂଳ ଓଡି଼ଶାରେ ପୁରୀଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପାରାଦୀପଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ସ୍ୱଳ୍ପ ବର୍ଷା ହେବ । ପବନର ବେଗ ବିଶେଷ ରହିବ ନାହିଁ । ଅନ୍ୟାନ୍ୟ ଉପକୂଳବର୍ତୀ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ହାଲକା ବର୍ଷା ହୋଇପାରେ । ୭ରୁ ୯ ତାରିଖ ପର୍ଯ୍ୟନ୍ତ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ୯ ତାରିଖରେ ଗତିପଥ ବଦଳାଇବ ନାହିଁ । ତେବେ ଓଡ଼ିଶା ପାଇଁ ବିପଦ ଆସିପାରେ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ୱାସଙ୍କ କହିବା କଥା ହେଉଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଇତିମଧ୍ୟରେ ଅବପାତରେ ପରିଣତ ହୋଇଛି । କେଉଁ ସ୍ଥାନକୁ ସ୍ପର୍ଶ କରିବ ତାହା ଏବେ କହିବା କଷ୍ଟକର । ତେବେ ୮ ତାରିଖଠାରୁ ଓଡ଼ିଶାରେ ପାଗ ବଦଳିବ । ମେଘୁଆ ପାଗ ସହ ୯ ତାରିଖରେ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ସେହିଦିନଠାରୁ ପଶ୍ଚିମବଙ୍ଗ ଉପକୂଳରେ ବି ପ୍ରବଳ ବର୍ଷା ଆରମ୍ଭ ହେବ । ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ସମୁଦ୍ର ଓ ଆଖପାଖ ଅଞ୍ଚଳ, ୭ ଓ ୮ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ । ୮ରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବ । ତେଣୁ ବୁଧବାରଠାରୁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ଉପକୂଳର ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ