ବଳଦେବଜିଉ ମନ୍ଦିର ଓ ବଡ଼ଦାଣ୍ଡ ଉନ୍ନତି ପାଇଁ ସାଢ଼େ ୮ କୋଟି ବ୍ୟୟବରାଦ
ଭୁବନେଶ୍ୱର: ଗତ ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ପରିଦର୍ଶନରେ ଯାଇଥିଲେ । ସେବାୟତ ଓ ସ୍ଥାନୀୟ ଲୋକ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବଳଦେବ ଜିଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତୀକରଣ ହେବ । ଏଥିପାଇଁ ୮କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ସିଂ ଯୋଗେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏଥିରେ ବଳଦେବ ଜିଉଙ୍କ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ହୋଇଛି । ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବଳଦେବ ଜିଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରିବା ସହ ବଡ଼ଦାଣ୍ଡର ଉନ୍ନତୀକରଣ କରାଯାଇ ଏହାର ଦୁଇ ପାଶ୍ୱର୍କୁ ମଧ୍ୟ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯିବ । ସେହିପରି କେନ୍ଦ୍ରାପଡ଼ାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବା ସହିତ ବଳଦେବ ଜିଉ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ହେବ । ମନ୍ଦିରରେ ଥିବା ବିଭିନ୍ନ କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ । ଏତଦ୍ ବ୍ୟତୀତ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦେକ୍ଷପ ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
ଏହିସବୁ ଉନ୍ନତୀକରଣ କାର୍ଯ୍ୟର ଗୁଣାତ୍ମକମାନ ବଜାୟ ରଖିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏହିସବୁ କାର୍ଯ୍ୟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ ମଧ୍ୟ କାମନା କରିଥିଲେ । ଏହି ନିଷ୍ପତ୍ତି ପାଇଁ ସେବାୟତମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀଙ୍କ “୫-ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ପୂର୍ତ୍ତ ସଚିବ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।


