କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସଦରମହକୁମାରେ କୋଭିଡ କଟକଣା ଅନୁପାଳନ ପୂର୍ବକ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯେଉଁ ମହାମାନବ ମାନେ ବହୁକଷ୍ଟ ସ୍ୱୀକାର କରି ଆମକୁ ସ୍ୱାଧୀନତା ଦେଇଛନ୍ତି ସେମାନଙ୍କ କଷ୍ଟଲବ୍ଧ ସ୍ୱଧୀନତାକୁ ଆମେ ସମଗ୍ର ଭାରତବାସୀ ମନେରଖିବା ଉଚିତ ବୋଲି ନିଜ ଅଭିଭାଷଣରେ ଜିଲ୍ଲାପାଳ ପ୍ରକାଶ କରିଥିଲେ । ନାଗାଲାଣ୍ଡ ଭଳି ରାଜ୍ୟର ଆଦିବାସୀ ବହୁଳ ଗାଁରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ପ୍ରତିକୂଳ ପରିବେଶରେ ଏବଂ ସିଆଚିନ ଗ୍ଲାସିୟରରେ ସେନାଟିଏ ଜାତୀୟ ପାତାକା ଉତ୍ତୋଳନ କରୁଥିବା ବେଳେ ଏଥିରୁ ଗଣତନ୍ତ୍ରର ବାସ୍ତବ ମୂଲ୍ୟବୋଧର ପ୍ରମାଣ ମିିଳିଥାଏ । ଓଡିଶାର ଅଖ୍ୟାତ ପଲ୍ଲୀର ଘରେ ଘରେ ଜାତୀୟ ପତାକା ଉଡାଇ ଲୋକମାନେ ସ୍ୱାଧୀନତାର ମୂଲ୍ୟବୋଧ ଓ ମାନବୀୟ ଚେତନାକୁ ପରିପ୍ରକାଶ କରିବା ସହ ପରିବର୍ତ୍ତିତ କରୁଛନ୍ତି । ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବାରେ ପ୍ରତ୍ୟକ ନାଗରିକର ଗୁରୁଦାୟିତ୍ୱ ରହିଛି । ଛୋଟଛୋଟ ପିଲାମାନେ ମହାମନଷୀମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଜିଅନ୍ତୁ । ଗଣତନ୍ତ୍ରର ମୂଲ୍ୟବୋଧକୁ ଜାଣନ୍ତୁ ଏବଂ ରାଷ୍ଟ ପ୍ରତି ଥିବା ଦାୟିତ୍ୱବୋଧ ପ୍ରତି ସଚେତନ ହେବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ସମାଜର ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଅସୂୟା ଦୂର ଏକ ପରିପକ୍ୱ ଓ ପରିପୁଷ୍ଟ ଗଣତନ୍ତ୍ର ପ୍ରତିଷ୍ଟା ଦିଗରେ ବ୍ରତୀ ହେବା ସହ ରାଷ୍ଟ୍ରର ବିକାଶ ପଥରେ ସହଭାଗୀ ହେବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ । ଗଣତାନ୍ତ୍ରିକ ମୂଲ୍ୟବୋଧ ହିଁ ଆମ ଜାତିକୁ, ସମାଜକୁ ଓ ଆମ ସମସ୍ତଙ୍କୁ ସଶକ୍ତ ଓ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଥାଏ । ଜିଲ୍ଲାସ୍ତରୀୟ ଉତ୍ସବରେ ୨୦ଜଣ କୋଭିଡ ଯୋଦ୍ଧା ଓ ଜିଲ୍ଲ୍‌ାସ୍ତରୀୟ ପ୍ରତିଯୋଗିତାର ୧୮ଜଣ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଋତୁରାଜ ସମ୍ବର୍ଦ୍ଧିତ କରୀଥିଲେ । ପ୍ରାତଃରେ ଜିଲ୍ଲା ସୂଚନା ଓ ଲୋକସମ୍ଫର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମ ଧୂନ ପ୍ରଚାର କରାଯାଇଥିଲା । ପ୍ରାତଃ ୭.୩୦ ମିନିଟ୍ ସମୟରେ ସହରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ, ବାଣିଜିକ ପ୍ରତିଷ୍ଠାନ, ସ୍କୁଲ ଏବଂ କଲେଜମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଜିଲ୍ଲାସ୍ତରୀୟ ଉତ୍ସବରେ ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପୋଲିସ ବାହିନୀ ଓ ବ୍ୟାଣ୍ଡ ପାର୍ଟି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରିବାସହ ରାଷ୍ଟ୍ରୀୟ ସଙ୍ଗୀତର ଧୂନ ବାଦନ କରିଥିଲେ । ଜିଲ୍ଲାସ୍ତରୀୟ ଉତ୍ସବରେ ଅତିରିକ୍ତ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ଗୋପାଳ ଚନ୍ଦ୍ର ବେହେରା, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ ଗୃହ), କେନ୍ଦ୍ରାପଡା କ୍ଷୀରୋଦ ଚନ୍ଦ୍ର ବେହେରା, କେନ୍ଦ୍ରାପଡା ତହସିଲଦାର ହେମଲତା ବାହଳିଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଉଦ୍ୟାନ କୃଷି ଅଧିକାରୀ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ