କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବୃତ୍ତି ପରାମର୍ଶ ଓ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ବ୍ରେନ ଟ୍ରି ଟେକ୍ନୋଲୋଜିର ମିଳିତ ଉଦ୍ୟୋଗରେ ମହାବିଦ୍ୟାଳୟ ପରିସରରେ ଏକ ବୃତ୍ତି ପରାମର୍ଶ ଓ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ବୃତ୍ତି ପରାମର୍ଶ ଓ ନିଯୁକ୍ତି ସଂସ୍ଥାପନ ପ୍ରକୋଷ୍ଠର ସଂଯୋଜିକା ପ୍ରାଧ୍ୟାପିକା ଡଃ. ବାସନ୍ତୀ ଶୁକ୍ଳା ବୃତ୍ତି ଓ ନିଯୁକ୍ତି ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ବ୍ରେନ ଟ୍ରି ଟେକ୍ନୋଲୋଜିର ନିର୍ଦେଶକ ଇଂ ସଂବିତ କୁମାର ରାଉତ ଏବଂ ତାଙ୍କ ଟିମ ମେମ୍ବରମାନଙ୍କ ଦ୍ୱାରା +୩ ଶେଷବର୍ଷ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କର ଏକ ଲିଖିତ ପରୀକ୍ଷା ଓ ଏକ ବ୍ୟକ୍ତିତ୍ୱ ଆକଳନ ପରୀକ୍ଷା କରାଯାଇଥିଲା । ସମୁଦାୟ ୧୬୪ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ୪୮ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ରେନ ଟ୍ରି ଟେକ୍ନୋଲୋଜି ୨ମାସର ପ୍ରଶିକ୍ଷଣ ଦେଲା ପରେ ଭାରତର ବିଭିନ୍ନ ଆଇ.ଟି. କମ୍ପାନୀରେ ସେମାନଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଇଂ ରାଉତ ପ୍ରଦାନ କରିଥିଲେ । ଆବଶ୍ୟକ ସ୍ଥଳେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଇଂ ରାଉତ ପ୍ରକାଶ କରିଥିଲେ । ଏହି ସଭାରେ ପ୍ରଫେସର ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ରତ୍ନମଞ୍ଜରୀ ଦାଶ, ରଞ୍ଜିତ ଦାସ, ଦେବକାନ୍ତ ଷଡଙ୍ଗୀ, ଅଶୋକ ଦାସ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଧ୍ୟାପିକା ପୂର୍ବାସା ପ୍ରିୟଦର୍ଶିନୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଅମର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।