କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିରେ ଯୌନ ଶୋଷଣ ମାମଲା
କେନ୍ଦ୍ରାପଡ଼ା : ଯୌନ ଶୋଷଣ ଭଳି ସଂଗୀନ ଅପରାଧରେ ଛନ୍ଦି ହୋଇ ପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ ଉଠାଇ ନେଇଛି । ରାତି ପ୍ରାୟ ସାଢେ ୧୧ଟାରେ ପୁଲିସ ବଣିଆମାଳସ୍ଥିତ ବାସଭବନରୁ ଶ୍ରୀ ସାହୁଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି । ମାମଲା ରୁଜୁ ହେବାର ୩ ମାସ ଯାଏ ପୁଲିସର ଶିଥିଳତାକୁ ନେଇ ମାନବାଧିକାର ସୁରକ୍ଷା ସେଲ୍(ଏଆରପିସି)ଏଡିଜି ଏସ୍.ଏମ୍. ନରଭଣେ ଓ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଭୀଷଣ ବିରକ୍ତି ପ୍ରକାଶ କରିବା ପରେ ପୁଲିସ ଶ୍ରୀ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଥାଉ କି, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସଂପୃକ୍ତା ପୀଡ଼ିତା କେନ୍ଦ୍ରାପଡ଼ା ଟାଉନ ଥାନାରେ ଗତ ଏପ୍ରିଲ୍ ୩୦ତାରିଖରେ ସଭାପତି ଶ୍ରୀ ସାହୁଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ଶ୍ରୀ ସାହୁ ତାଙ୍କୁ ମୋବାଇଲ୍ ଶିଖିବା ନାଁରେ ଚାମ୍ବରକୁ ଡାକି ଅସଦାଚରଣ କରିଛନ୍ତି । ବାରମ୍ବାର ଫୋନ୍ ତଥା ଭିଡିଓ କଲ୍ କରିବା, ଚାମ୍ବରକୁ ଡାକି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଛନ୍ତି । ମାତ୍ର ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୀଡ଼ିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଗତ ଜୁଲାଇରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ।


