କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ ଆଶଙ୍କାରେ ଆଵିର୍ଭାଵକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ବାହାରି ପ୍ରକ୍ରିୟା ଆରମ୍ଭ ହେଲାଣି। ମାତ୍ର ଉକ୍ତ ବିଜ୍ଞପ୍ତିରେ ଛତ୍ରପୁରର ନାଁ ନାହିଁ। ତେବେ ଏହି ପ୍ରକ୍ରିୟାରୁ ଛତ୍ରପୁରକୁ ବାଦ୍‌ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଆର୍ଯ୍ୟପଲିଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୧୦ ଏକର ଜମି ରାଜ୍ୟ ସରକାର ମଞ୍ଜୁର କରିସାରିଛନ୍ତି। ଏଥିସହ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲର ଏକ କୋଠାରେ ଚାଲିବାକୁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି। ଜମି ଆଜି ସୁଦ୍ଧା ହସ୍ତାନ୍ତର ହୋଇ ନ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନାଁ ରେ ଉକ୍ତ ଜମିର ଲିଜ୍‌ ଡ଼ିହ ହେବ ଛତ୍ରପୁର ତହସିଲ ପକ୍ଷରୁ ଲିଜ୍‌ ଡ଼ିହ ପାଇଁ କାଗଜପତ୍ର କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇ ପ୍ରକ୍ରିୟା ଚାଲୁ ରହିଛି। ଲକ୍‌ଡାଉନ ପରେ ଡିଡ଼ କାର୍ଯ୍ୟ ଶେଷ ହେବ, ଏହି ଶିକ୍ଷା ବର୍ଷ ପାଇଁ ନାମଲେଖା ହେବକି ନାହିଁ ଆଗାମୀ ଦିନରେ ଜଣାଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ପ୍ରକାଶଯୋଗ୍ୟ, ୨୦୧୯ ମାର୍ଚ୍ଚ ମାସରେ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ