କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି..

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ ପରିସରରେ ଅଫ୍‌ଲାଇନ୍ ଓ ଅନଲାଇନ ମାଧ୍ୟମରେ ସ୍ୱର, ଭାରତୀୟ ସ୍ତ୍ରୀ ଶକ୍ତି ଓଡ଼ିଶା ଶାଖା, ମାଧ୍ୟମ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ତରଫରୁ ମହିଳାମାନଙ୍କ ବିବାହ ବୟସକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ମହିଳା ମାନଙ୍କର ବିବାହର ବୟସ ୧୮ରୁ ୨୧ବର୍ଷକୁ ବୃଦ୍ଧି କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଏହିସବୁ ସଂଗଠନମାନଙ୍କ ତରଫରୁ ମତପ୍ରକାଶ ପାଇଥିଲା । ଏହି ଆଲୋଚନାଚକ୍ରରେ ଭାରତର ୧୭ଟି ରାଜ୍ୟରୁ ମହିଳା ସଶକ୍ତିକରଣର ପ୍ରତିନିଧିମାନେ ଯୋଗ ଦେବା ସହିତ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଥିରେ ସ୍ୱରର ମ୍ୟାନେଜିଂ ଟ୍ରଷ୍ଟି ଚନ୍ଦନା ଦାସ ସଭାପତିତ୍ୱ କରି ତାଙ୍କ ଭାଷଣରେ କହିଲେ ଯେ, ମହିଳାଙ୍କ ବିବାହ ବୟସ ସରକାର ୨୧ବର୍ଷକୁ ବୃଦ୍ଧି କରି ଏକ ଉନ୍ନତ ସମାଜ ଗଠନ ଦିଗରେ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରୁ ଆଭାସୀ ମାଧ୍ୟମରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ, ସରକାର ମହିଳାଙ୍କ ବୟସକୁ ବୃଦ୍ଧି କରି ସମାଜରେ କେତେ ଯେ ହିତ ସାଧନ କଲେ ତାହାକୁ ବଖାଣିବା ଏତେଟା ସହଜ ନୁହେଁ । ମହିଳାଙ୍କ ସବୁ ପ୍ରକାର ଉନ୍ନତି ଏହା ମାଧ୍ୟମରେ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଷ୍ଟ୍ରୀୟ ଭାରତୀୟ ସ୍ତ୍ରୀ ଶକ୍ତିର ସମ୍ପାଦିକା ବର୍ଷା ପାୱାର ତାୱାଡ଼େ ତାଙ୍କ ଭାଷଣରେ ମହିଳାଙ୍କ ବିବାହ ବୟସ ସହିତ ସ୍ୱାସ୍ଥ୍ୟ ଓ ପରିବେଶର କଥା ମନେ ପକାଇ ୨୧ବର୍ଷ ଅଧୁନା ସମୟରେ ମହିଳାଙ୍କର ଜାତୀୟ ଉନ୍ନତି ସହିତ ସାମାଜିକ ବିକାଶରେ ବହୁତ ବଡ଼ ପଦକ୍ଷେପ ବୋଲି କହିଥିଲେ । ଓଡ଼ିଶାର ସୁନାମଧନ୍ୟା ସ୍ତ୍ରୀରୋଗ ବିଶେଷଜ୍ଞ ଡଃ ସରୋଜିନୀ ଷଡ଼ଙ୍ଗୀ ଆଭାସୀ ମାଧ୍ୟମରେ ମହିଳାଙ୍କର ବିବାହ ବୟସ ୨୧କୁ ସମର୍ଥନ କରିବା ଏହା ମାଧ୍ୟମରେ ମହିଳାଙ୍କର ମାନସିକ, ଶାରୀରିକ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ । ଚିକିତ୍ସା ଶାସ୍ତ୍ରର ଉଦାହରଣ ଦେଇ ୨୧ବର୍ଷ ଅଧୁନା ସମୟ ନିହାତି ଦରକାର ଥିଲା ବୋଲି କହିଥିଲେ । ସାମାଜିକ କର୍ମୀ ନମ୍ରତା ଚଢ଼ା ପଶ୍ଚିମବଙ୍ଗରୁ ଆଭାସୀ ମାଧ୍ୟମରେ ମହିଳାଙ୍କ ବିବାହ ବୟସ ସହିତ ମାନସିକ ସ୍ଥିରତା ଉପରେ ଓ ସାମାଜିକ ପ୍ରଭାବକୁ ବଖାଣି ସରକାର ନେଇଥିବା ନିଷ୍ପତ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ । ଏହାପରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ତାଙ୍କ ବକ୍ତବ୍ୟରେ ଯେଉଁବର୍ଗର ମହିଳାମାନେ ୧୮ବର୍ଷରୁ କମ୍ ବୟସରେ ବିବାହ କରୁଥିଲେ, ସେହି ମହିଳାମାନେ ୨୧ବର୍ଷରୁ କମ୍ ବୟସରେ ବିବାହ କରିବେ । କିନ୍ତୁ ଏହାକୁ କିପରି ଆମେ ସାମାଜିକ ଇଞ୍ଜିନିୟରିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରିପାରିବା, ତାହାରି ଉପରେ ଗୁରୁତ୍ୱାରୋପ କରିଥିଲେ । ଆଲୋଚନାଚକ୍ରକୁ ଡ. ସ୍ୱାତୀ ପଟ୍ଟନାୟକ, ଡ. ଗାର୍ଗୀ ବାନାର୍ଜୀ, କ୍ରିଷ୍ଣା ଅଗ୍ରୱାଲ, ସବିତା ରାୟ, ମନ୍ଦିରା ଦାସଗୁପ୍ତା ଓ କଲେଜର ଅଧ୍ୟାପିକାମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୨୦୦ରୁ ଉର୍ଦ୍ଧ୍ୱ ସାମାଜିକ କର୍ମୀ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅନେକ ପ୍ରଶ୍ନ ପଚାରି ନିଜ ଭିତରେ ଥିବା ସନ୍ଦେହକୁ ଦୂର କରିଥିଲେ । କଲେଜର ଉପାଧ୍ୟକ୍ଷ ଡଃ ହଟକେଶ୍ୱର ସେନାପତି ସଭାକୁ ସମ୍ବୋଧନ କରି ସରକାରଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି କହିବା ସହ ମହିଳାଙ୍କ ବିବାହ ବୟସ ୨୧ବର୍ଷ ବହୁ ପୂର୍ବରୁ ହେବା ଦରକାର ଥିଲା ବୋଲି କହିଥିଲେ । ଶେଷରେ ଖୁସ୍‌ବୁ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ