ବିସ୍ଥାପିତ ପରିବାରଙ୍କୁ ମିଳୁନି ମୌଳିକ ସୁବିଧା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ କଅଁଳେଇବାଲିପାଳ ଗ୍ରାମ ପଞ୍ଚାୟତର କଅଁଳେଇବାଲିପାଳ , ମଲ୍ଲୀପଶି , ସରମୁଣ୍ଡି , ମୟୁରନଚା , ଭଅଁରା ଓ ରାଇଘାଟି ଗ୍ରାମର ଗ୍ରାମବାସୀ ମାନେ ବିସ୍ଥାପିତ ହେବାର ଦୀର୍ଘ-୬୦ ବର୍ଷ ପରେ ମଧ୍ୟ ସାଧାରଣତଃ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ବର୍ଷ ପରେ ବର୍ଷ ବିତୁଛି, ସରକାର ପରେ ସରକାର ବଦଳୁଛି ହେଲେ ଏଠାକାର ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। ଏହି ପଞ୍ଚାୟତରେ ମୋଟ ୭ଟି ଗ୍ରାମରେ ୧୧ ଟି ୱାର୍ଡ ରହିଛି । ତାହା ମଧ୍ୟରୁ ଦୁଇଟି ୱାର୍ଡକୁ ଛାଡି ଦେଲେ ୯ ଟି ୱ।ର୍ଡରେ ପରିବାର ସଂଖ୍ୟା-୧୨୦୦ରୁ ଅଧିକ ରହିଥିବା ବେଳେ ଜନସଂଖ୍ୟା-୬୦୦୦ରୁ ଅଧିକ ରହିଛି । ଏହି ୯ ଗୋଟି ୱର୍ଡରେ ପ୍ରାୟ ୯୦ ଭାଗ ଅନୁସୂଚିତ ଜନଜାତି ପରବାର ବସବାସ କରନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାଇ ଏ ଅଞ୍ଚଳରେ ସାଳନ୍ଦୀ ନଦୀ ପ୍ରବାହିତ ହେଉଥିବାରୁ ୧୯୬୫ ମସିହାରେ ଏହି ନଦୀ ଉପରେ ଡ୍ଯାମ୍ ନିର୍ମାଣ କରିବାର ପ୍ରସ୍ତାବ ସରକାରଙ୍କ ତରଫରୁ ଆସିଥିଲା । ଏବଂ ଏହି ଡ୍ଯାମ୍ ପ୍ରୋଜେକ୍ଟ ଦ୍ଵାରା ପ୍ରଭାବିତ ସମସ୍ତ ପରିବାରଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ସେତେବେଳର ସରକାର । ଏବଂ ବସ୍ତି ବାସିନ୍ଦାଙ୍କ ରେକର୍ଡ ଭୁକ୍ତ ଜମିର ପଟ୍ଟା ସମସ୍ତେ ଫେରାଇବା ପାଇଁ ସରକାର ଗ୍ରାମ ମୁଖିଆ ମାନଙ୍କ ଦ୍ୱାରା ଘୋଷଣା କରିଥିଲା । ଯେଉଁ ମାନେ ରେକର୍ଡ ଭୁକ୍ତ ଜମିର ପଟ୍ଟା ନଫେରାଇବେ ସେମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଇପାରିବେ ନାହିଁ। ଜମି ପଟ୍ଟା ଫେରସ୍ତ ପରେ ସରକାର ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଥିବା ଦଲମା ନାମକ ଜଙ୍ଗଲ ଯାହା ବର୍ତ୍ତମାନ କୁଲଡ଼ିହା ଅଭୟାରଣ୍ୟ ଅଧିନରେ ଆସୁଥିବା ଅଞ୍ଚଳରେ ସମସ୍ତଙ୍କୁ ଥଇଥାନ କରିବାର ପ୍ରସ୍ତାବ ସରକାରଙ୍କ ତରଫରୁ ଆସିଥିଲା। ଯେହେତୁ ବାଲେଶ୍ବର ଜିଲ୍ଲାର ଚାଷୀମାନଙ୍କ ଚାଷ ଜମିକୁ ଜଳସେଚନ କରିବା ନିମନ୍ତେ ସାଳନ୍ଦୀ ନଦୀରେ ବନ୍ଧ ନିର୍ମାଣ କରିବାର ମୁଖ୍ୟ କାରଣ ଥିବାରୁ ସାଳନ୍ଦୀ ଡ୍ଯାମ୍ (ହଦଗଡ଼) ଦ୍ବାରା ପ୍ରଭାବିତ ସମସ୍ତ ପରିବାରଙ୍କୁ ବାଲେଶ୍ବର ଜିଲ୍ଲାରେ ଥଇଥାନ କରାଯିବାର ନିର୍ଦ୍ଦେଶ ସରକାରଙ୍କ ତରଫରୁ ଆସିଥିଲା। ଏହି ନିର୍ଦ୍ଧେଶ କ୍ରମେ ଡ୍ଯାମ୍ ଦ୍ଵାରା ପ୍ରଭାବିତ ସମସ୍ତ ଗ୍ରାମର ମୁଖିଆ ମାନେ ସେ ଅଞ୍ଚଳକୁ ଯାଇ ସେ ସ୍ଥାନ ବିଷୟରେ ସମସ୍ତ ବିବରଣୀ ଗ୍ରାମବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରି ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ସରକାରଙ୍କୁ ଜଣାଇଥିଲେ। ସେହି ଅଞ୍ଚଳ ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ସେଠାରେ ଜନବସତି ସ୍ଥାପନ କରିବା ସମ୍ଭବ ନୁହେଁ। ଆଖପାଖରେ କୌଣସି ଜନବସତି କିମ୍ବା ହାଟ ବଜାର ନାହିଁ। ସେହି ସମୟରେ ସେହି ଅଞ୍ଚଳ ଠାରୁ ୪୦ ରୁ ୫୦ କି.ମି ହେବ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଓ ବାଲେଶ୍ବର ଜିଲ୍ଲାର ଓପଦା,ଖଇରା, ବଜାର ଉପରେ ନିର୍ଭର କରିବାକୁ ହେବ। ସେଥିପାଇଁ ସେ ଅଞ୍ଚଳ ପରିବର୍ତ୍ତନ କରି ଅନ୍ୟ ଉପଯୁକ୍ତ ସ୍ଥାନରେ ଥଇଥାନ କରିବାକୁ ପଞ୍ଚାୟତବାସୀ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ।ସରକାର ସ୍ଥାନ ପରିବର୍ତ୍ତନ ସମ୍ଭବ ନୁହେଁ ପୁନର୍ବାର ବିଚାର ବିମର୍ଶ କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ମଧ୍ୟ ପଞ୍ଚାୟତବାସୀ ନିଜର ମତ ପରିବର୍ତ୍ତନ ନ କରିବାରୁ ସରକାର ଓ ପଞ୍ଚାୟତବାସୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଥିଲା ବୋଲି ସେହି ସମୟର ବୟସ୍କ ବ୍ୟକ୍ତି ମାନେ ବୟାନ ଦିଅନ୍ତି। ସରକାର ପରବର୍ତ୍ତୀ ସମୟରେ କିଛି ପରିବାରଙ୍କୁ ଶଙ୍କଟପାଲିଆ, ସିଆଡିମାଳିଆ , ରାଇଘାଟି ଓ ଫୁଲଝର ଗ୍ରାମରେ ଥଇଥାନ କରିଥିଲେ । ଅନ୍ୟ ସମସ୍ତ ପରିବାରଙ୍କୁ ଉଚିତ୍ ସ୍ଥାନକୁ ଥଇଥାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ଏହି ଅଞ୍ଚଳର ସରଳ ଆଦିବାସୀ ମାନେ ସହଜରେ ବିଶ୍ଵାସ କରୁଥିଲେ । ସେହି ସରଳ ବିଶ୍ଵାସ ପାଇଁ ବସ୍ତିବାସିନ୍ଦା ମାନେ ସଂପୂର୍ଣ୍ଣ ସର୍ବହରା ହୋଇଯାଇଛନ୍ତି । ରାଜ୍ୟର ଉନ୍ନତି ପାଇଁ ଏ ଅଞ୍ଚଳର ଆଦିବାସୀ ମାନେ ଜଳ, ଜଙ୍ଗଲ ଓ ଜମି ଦେଲେ । ହେଲେ ଦୀର୍ଘ ୬୦ ବର୍ଷ ପରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଓ ରାସ୍ତା ଭଳି ସର୍ବନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି । ଏହା କେତେଦୂର ଠିକ୍ ତାହା ବିଚାର କରିବା ପାଇଁ ସରକାର ଓ ବୁଦ୍ଧିଜୀବିମାନଙ୍କ ପାଖରେ ବିନମ୍ର ଅନୁରୋଧ କରିଛନ୍ତିି ବସ୍ତି ବାସିନ୍ଦା ମାନେ । ବନ୍ୟପ୍ରାଣୀଙ୍କ ବାସସ୍ଥଳୀରେ ଜନବସତି ସ୍ଥାପନ ନ କରି ଅନ୍ୟ ସ୍ଥାନ ପରିବର୍ତ୍ତନ କରିବାର ନିଷ୍ପତ୍ତି ଆମ୍ଭ ପୂର୍ବଜ ମାନଙ୍କର ଏତେ ବଡ ଭୁଲ୍ ଥିଲା କି? ସେଥିପାଇଁ ଆମ୍ଭେ ମାନଙ୍କୁ ପିଢି ପରେ ପିଢି ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡୁଛି ସେମାନେ ପ୍ରଶ୍ନ କରିଛନ୍ତି। ବର୍ଷ ବର୍ଷ ଧରି ପଞ୍ଚାୟତ ବାସୀ ମୌଳିକ ସୁବିଧା ପାଇଁ ଦାବି କରି ଆସୁଥିଲେ ସୁଧା ପୂର୍ବ ସରକାର ଡଥିପ୍ରତି କର୍ଣ୍ଣପାତ କରି ନଥିବା ବେଳେ ନୂତନ ବିଜେପି ସରକାର ଲୋକଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଆମ ପଞ୍ଚାୟତବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ବୁଦ୍ଧିରାମ ପୂର୍ତ୍ତି, ରାଉତ ହୋ,କୁନା ଗୋଇପାଇ,ରାଜନ ସୋରେନ, ନିଶିକାନ୍ତ ନାଇକ,ଟୁନା ସିମିନିକିଆ,ସୁନାରାମ ପୂର୍ତ୍ତି,ସାଉଁରି ପୂର୍ତ୍ତି,ମକରୀ ସଲଙ୍ଗି, ରାମଚନ୍ଦ୍ର ଟୁଡୁ, ହେମନ୍ତ ମାଝୀ, ସୁଭଦ୍ରା ସିମିନିକିଆ,ନରି ନାଇକ,ମାସୁରି ହୋ,କୁନାମନ୍ତ ପ୍ରଧାନ,ମୁନା ହୋ, ନାରାୟଣ ହୋ ମାନି ପୂର୍ତ୍ତି, ପାଲ ହୋ,ରିତା ସୋରେନ୍, ଜିତୁ ସୋରେନ୍,ନାରଣ ସୋରେନ୍,ଲାଦୁ ଗୋଇପାଇ,ସାନଙ୍ଗି ପୂର୍ତ୍ତି,ସନେଇ ପୂର୍ତ୍ତି,ମେଚ ବଦ୍ରା,ନନ୍ଦୀ ସିଂ ଗିଲୁଆ ସୁକୁମତି ମହାକୁଡ଼, ମୁଚିରାମ ମହାକୁଡ଼,ଭାଇଗ ପୂର୍ତ୍ତି, ଚରଣ ମହାକୁଡ଼,ସାଦ ହୋ,ସିଙ୍ଗିରାଇ ପୂର୍ତ୍ତି,ରାମାଏ ପୂର୍ତ୍ତି,ଲାଲୁ ଟୁଡୁ, କାଳିଆ ସଲଙ୍ଗି,ଜୁରେ ପୂର୍ତ୍ତି,ତୁରୀ ପୂର୍ତ୍ତି,ଜଙ୍ଗାଳୀ ପୂର୍ତ୍ତି,ନାଗି ହେମ୍ବ୍ରମ,ଜାଉଣୀ ମହାକୁଡ଼,ଚୁବେ ପୂର୍ତ୍ତି,ମମତା ପୂର୍ତ୍ତି ପ୍ରମୁଖ ଦାବି କରିଛନ୍ତି। ସରକାର ଯଦି ଏହାର ସୁ ବ୍ୟବସ୍ଥା ନ କରନ୍ତି ତେବେ ଏଥର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


