କୋଭିଡ଼୍ ହସ୍ପିଟାଲରେ ଶଯ୍ୟା ଅଭାବ; ରୋଗୀଙ୍କ ଚିକିତ୍ସା ବିଳମ୍ବ ହେଉଥିବା ଅଭିଯୋଗ
ଗଞ୍ଜାମ, (ଅନିଲ କୁମାର):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧ ରେ ପହଂଚିଲାଣି । ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ତୁଳନାରେ ଜିଲ୍ଲାରେ ଶଯ୍ୟା ସଂଖ୍ୟା ବହୁତ କମ୍ ରହିଛି । କୋଭିଡ଼୍ ହସ୍ପିଟାଲରେ ଶଯ୍ୟା ଅଭାବ କାରଣରୁ ବହୁ ରୋଗୀଙ୍କ ଚିକିତ୍ସା ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୬୬୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ୧୦୩୭ ଜଣ ଚିକିତ୍ସାଧିନ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨୦୦ ଜଣ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସାଧିନ ରହିଥିବା ବେଳେ ୫୦ ଜଣ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ, ୨୦୦ ଜଣ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା କୋଭିଡ଼୍ କେୟାର ସେଂଟର ଥିବା ଜଣାପଡିଛି । ଏଥିସହ ହିଞ୍ଜିଳି, ଭଞ୍ଜନଗର, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜ ହଷ୍ଟେଲରେ ହୋଇଥିବା ଆଇସୋଲେସନ ୱାର୍ଡ଼ରେ କେତେକ ପଜିଟିଭ୍ ଙ୍କୁ ରଖାଯାଇଛି । ଏବେ ରୋଗୀଙ୍କୁ ଘରୋଇ କ୍ୱାରେଂଟାଇନରେ ରହିବାକୁ ମଧ୍ୟ କୁହାଯାଉଥିବାର ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଲଗାତାର ରୋଗୀ ସଂଖ୍ୟା ବୃଦ୍ଧି ପାଇବା ଏବଂ ଶଯ୍ୟାର ଅଭାବ ଯୋଗୁଁ ପାଲୁର୍ ହିଲ୍ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼୍ କେୟାର୍ ସେଂଟର କରିବାକୁ ନିଷ୍ପତି ନିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କୋଭିଡ଼୍ ହସ୍ପିଟାଲରେ ୨୦୦ ଶଯ୍ୟା ରହିଛି । ଏଥିରେ ୨୦ ଟି ଶଯ୍ୟାରେ ଭେଂଟିଲେଟର ଓ ଆଇସିୟୁ ବ୍ୟବସ୍ଥା ରହିଛି । ସେ ସମସ୍ତ ଶଯ୍ୟାରେ ରୋଗୀ ଭର୍ତି ହୋଇଛନ୍ତି । ୧୬ ଜଣ ଡ଼ାକ୍ତର, ୨୦ ଜଣ ନର୍ସ, ୧୦ରୁ ଉର୍ଦ୍ଧ୍ୱ ପାରା ମେଡ଼ିକାଲ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଏଠାକୁ ରୋଗୀ ଆସୁଛନ୍ତି । ସବୁଦିନ ଏଠାରେ ରୋଗୀ ଭର୍ତି ହୋଇ ରହୁଥିବାରୁ ଅନ୍ୟ ଗୁରୁତର ରୋଗୀ ମାନେ ମଧ୍ୟ ଶଯ୍ୟା ଅଭାବ କାରଣରୁ ଏଠାକୁ ଆସିପାରୁନଥିବା ଅନୁମାନ କରାଯାଉଛି । ଗଞ୍ଜାମର ଅନେକ ରୋଗୀ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଯାଉଥିବା ଜଣାପଡିଛି ।
ପ୍ରଶାସନର ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଗତ ଶୁକ୍ରବାର ସୁଦ୍ଧା ୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଶନିବାରର ରିପୋର୍ଟ ଅନୁସାରେ ପୁଣି ୩ ଜଣଙ୍କର ମୃତ୍ୟୁ ଘଟିଛି । ତନ୍ମଧ୍ୟରେ ଜଣେ ୫୦ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ପୂର୍ବରୁ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ । ଅନ୍ୟ ଜଣେ ୨୭ ବର୍ଷିୟ ହୋଇଥିବା ବେଳେ ଆଉ ଜଣେ ୩୫ ବର୍ଷିୟ ପୁରୁଷ ବୋଲି ସୂଚନା ମିଳିଛି । ଜିଲ୍ଲାରେ ଆଜି ସୁଦ୍ଧା ୫୦ ବର୍ଷ ବୟସରୁ କମ୍ ରେ ୯ ଜଣଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ହୋଇଛି । ଏହାର କାରଣ ସମ୍ପର୍କରେ ଏଣ୍ଡ୍ରୋକାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟାଙ୍କ ମତ ହେଲା, ପ୍ରଥମତଃ ଅନିୟମିତ ରକ୍ତ ସର୍କରା ଯୋଗୁଁ ଶରୀରର ରୋଗ ପ୍ରତିଶେଧକ ପ୍ରଣାଳୀରେ ବ୍ୟବହୃତ ହେଉଥିବା ରକ୍ତ କଣିକା ଦୁର୍ବଳ ହୋଇଯାନ୍ତି । ଶରୀରକୁ ସଂକ୍ରମଣରୁ ରକ୍ଷା କରୁଥିବା ଆଂଟିବଡି ଯଥେଷ୍ଟ ପରିମାଣରେ ତିଆରି ହୋଇନାହିଁ । କମ୍ ବୟସରେ ମୃତ୍ୟୁର ଅନ୍ୟ ଏକ ମୁଖ୍ୟ ସମସ୍ୟା ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ସେପଟେ ଶୀତଳାପଲ୍ଲୀ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସା ଓ ପରିଚାଳନା ନେଇ ନିଜର ପ୍ରତିକ୍ରିୟା ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) କହିଛନ୍ତି ଯେ, ଖଲ୍ଲିକୋଟ ସହରର ଜଣେ ଶିକ୍ଷକ ତାଙ୍କ ପତ୍ନୀ ଓ ୮ ବର୍ଷର ଝିଅ ସୁସ୍ଥ ହୋଇ ଘରକୁ ଫେରିବା ପରେ ଡ଼ାକ୍ତରଙ୍କ ବ୍ୟବହାର ଓ ଚିକିତ୍ସା ସମ୍ପର୍କରେ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଡ଼ାକ୍ତରଙ୍କ ଚିକିତ୍ସା ଓ ବ୍ୟବହାର ତାଙ୍କ ଭିତରେ ଏକ ଅପୂର୍ବ ସାହସ ଭରି ଦେଇଥିଲା ବୋଲି କହିଛନ୍ତି ସମ୍ପୃକ୍ତ ଶିକ୍ଷକ । ଅନ୍ୟପକ୍ଷରେ କୋଭିଡ଼୍ ହସ୍ପିଟାଲରେ ବିଭିନ୍ନ ଅନିୟମିତତା ଓ ପରିଚାଳନାଗତ ତୃଟିକୁ ନେଇ ଭିନ୍ନ ଭିନ୍ନ ସମୟରେ ଭିଡ଼ିଓ ଭାଇରାଲ୍ ହେଉଥିବା ଜଣାପଡିଛି ।


