କୋରୋନା ମୁକାବିଲା ପାଇଁ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ସଭା

କଲମ୍ବୋ: ଚୀନ୍‌ରୁ ବ୍ୟାପିବା ଆରମ୍ଭ କରିଥିବା ଘାତକ କୋରୋନା ଭୂତାଣୁ ଇତିମଧ୍ୟରେ ଦେଢ଼ ଶହରୁ ଊର୍ଦ୍ଧ୍ବ ଦେଶକୁ ବ୍ୟାପିସାରିଛି। ଶ୍ରୀଲଙ୍କାରେ ୧୧ ଜଣଙ୍କଠାରେ ଏହି ଭୂତାଣୁ ଠାବ କରାଯାଇଥିବା ବେଳେ ୧୩୭ ଜଣ ସନ୍ଦିଗ୍ଧ ଏବେ ବି ହସ୍ପିଟାଲ୍‌ରେ ଅବଜର୍ଭେସନ୍‌ରେ ରହିଛନ୍ତି। ତେବେ ଏଠାରେ କୋରୋନା ଭୂତାଣୁର ମୁକାବିଲା କରିବା ସକାଶେ ସରକାରଙ୍କ ପକ୍ଷରୁ ଏକ ଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ସରକାରଙ୍କ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ବୌଦ୍ଧ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଏହି ସଭାରେ ସ୍ବତନ୍ତ୍ର ମନ୍ତ୍ର ଜପ କରାଯିବ ଓ ଏହା କେବଳ ଶ୍ରୀଲଙ୍କା ନୁହେଁ, ବରଂ ସମଗ୍ର ବିଶ୍ବକୁ କୋରୋନା ଭୂତାଣୁ ଭୟରୁ ମୁକ୍ତି ଦେବ ବୋଲି ଦେଶର ଆସଗିରିୟା ସମ୍ପ୍ରଦାୟର ମୁଖ୍ୟ ତଥା ପ୍ରମୁଖ ପୂଜକ ଡବ୍‌ଲ୍ୟୁ. ଜ୍ଞାନରତ୍ନନ୍‌ କହିଛନ୍ତି। ଏହି ପ୍ରାର୍ଥନା ସଭା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ଓ ଏହା କାଣ୍ଡିର ଥୁଥ୍‌ସ୍ଥିତ ଏକ ମନ୍ଦିରରେ ଆୟୋଜିତ ହେବ।
ଏହି ପ୍ରାର୍ଥନା ସଭା ସମ୍ପର୍କରେ ଜ୍ଞାନରତ୍ନନ୍‌ କହିଛନ୍ତି ଯେ ବୌଦ୍ଧ ଧର୍ମ ଇତିହାସରେ ‘ରତାନା ସୂତ୍ର’ ମନ୍ତ୍ରର ଜପ କେବଳ ମହାମାରୀ ଓ ସଂକ୍ରାମକ ରୋଗ ବ୍ୟାପିବା ସମୟରେ କରାଯାଇଥାଏ। ଭାରତର ବିଶାଲା ସହରରେ ଦୁର୍ଭିକ୍ଷ ଓ ମହାମାରୀ ବ୍ୟାପିଥିବା ବେଳେ ଭଗବାନ ବୁଦ୍ଧ ମଧ୍ୟ ଏହି ମନ୍ତ୍ରର ଜପ କରିଥିଲେ ବୋଲି ଜ୍ଞାନରତ୍ନନ କହିଛନ୍ତି। ଅନ୍ୟପକ୍ଷରେ ଦେଶରେ କୋରୋନା ଭୂତାଣୁର ମୁକାବିଲା ସକାଶେ ବିଭିନ୍ନ ପ୍ରକାର ପ୍ରସ୍ତୁତିର ତର୍ଜମା କରାଯିବା ସହ ସୋମବାରକୁ ସ୍ବତନ୍ତ୍ର ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ଚୀନ୍‌ ସହ ଯେ କୌଣସି ଦେଶରୁ ଶ୍ରୀଲଙ୍କାରେ ପ୍ରବେଶ କରୁଥିବା ପ୍ରତିଟି ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସକାଶେ ମଧ୍ୟ ନିର୍ଦେଶ ଦିଆଯାଇଛି। ସେହିପରି ଚୀନ୍‌ରୁ ଏଠାକୁ ଆସୁଥିବା ଲୋକମାନଙ୍କୁ ସ୍ବତନ୍ତ୍ର ନିଃସଙ୍ଗବାସରେ ରଖାଯାଉଛି ବୋଲି ଦେଶର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ଅନୀଲ ଜୟସିଂଙ୍ଘେ କହିଛନ୍ତି। ତାଙ୍କ କହିବାନୁସାରେ, ଅଦ୍ୟାବଧି ୧୭ ଶହରୁ ଊର୍ଦ୍ଧ୍ବ ଲୋକ ନିଃସଙ୍ଗବାସରେ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଶରୀରରେ କୋରୋନା ଭୂତାଣୁ ଠାବ କରାଯାଇଛି। ଏହାଛଡ଼ା ଶ୍ରୀଲଙ୍କାରୁ ଯୁକ୍ତରାଜ୍ୟ, ନରୱେ ଓ ବେଲ୍‌ଜିୟମ୍‌ ଆଦି ଦେଶକୁ ବିମାନ ଉଡ଼ାଣକୁ ବାତିଲ୍‌ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ