କ୍ଷତିଗ୍ରସ୍ତଙ୍କୁ ସହାୟତା ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି
ବାଲେଶ୍ୱର, (ସରୋଜ ପଣ୍ଡା):ଲଘୁଚାପ ଜନିତ ଗତ ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ପରିଚାଳନାରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ସଦର ବିଜେପି ପକ୍ଷରୁ ଉଠିଛି ପ୍ରତିବାଦର ସ୍ୱର । ବିଜେପି ସଦର ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ ଯୋଗଦେଇ ବନ୍ୟା କ୍ଷୟକ୍ଷତି ଆକଳନରୁ ସଦର ବ୍ଲକର କ୍ଷତିଗ୍ରସ୍ତଙ୍କୁ ବାଦ ଦେବାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସାଙ୍ଗକୁ ଉପର ମୁଣ୍ଡ ପାଣିରେ ବୁଢାବଳଙ୍ଗ, ସୋନ, ଗଙ୍ଗାହାର, ଜଳକା ତଥା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଆଶାତୀତ କ୍ଷତି ହୋଇଥିଲା । ବିଶେଷ କରି ଜଳକା ଓ ବୁଢାବଳଙ୍ଗ ନଦୀର ବନ୍ୟାଜଳରେ ସଦର ବ୍ଲକର ଶ୍ରୀରାମପୁର, ରସଲପୁର, କୁରାଢିହା, କସିପଦା, ଆଙ୍କ, ହଳଦୀପଦା, ସାର୍ଥା, ପାଞ୍ଚପଡା, ନଗ୍ରମ, ଓଲନ୍ଦା ସାରଗାଁ, ବୁଆଁଳ, ଓଡଙ୍ଗୀ, ସିନ୍ଧିଆ, ବଇଁଚା, ଛାନୁଆ ପ୍ରଭୃତି ପଂଚାୟତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ସବୁ ପଞ୍ଚାୟତ ଅଂଚଳରେ ଚାଷ ଜମି ୭/୮ ଦିନ ଧରି ପାଣି ବୁଡିରହିବା ଫଳରେ ରୁଆ କାର୍ଯ୍ୟ ଚାଲିଥିବା ଓ ଅଳ୍ପ ଦିନ ଆଗରୁ ରୁଆ ସରିଥିବା ଧାନ ଗଛ ପଚି ଯିବା ସହିତ ହଜାର ହଜାର ହେକ୍ଟର ଜମିରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଶ୍ରୀ ଦତ ପ୍ରକାଶ କରିଛନ୍ତି । ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ତଦନ୍ତ ରିପୋର୍ଟ ଅନୁଯାୟୀ ସରକାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକରେ ପାଖାପାଖି ୮ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବାର ଘୋଷଣା କରିଥିବା ବେଳେ ସଦର ବ୍ଲକକୁ ଏଥିରେ ସାମିଲ ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀ ଦତ କହିଛନ୍ତି । ନଷ୍ଟ ହୋଇଥିବା ଚାଷଜମିରେ ଆଉ ଧାନ ରୋଇବାର ସମୟ ଅଥବା ସମ୍ଭାଚନା ନଥିବାରୁ ସଦର ବ୍ଲକର କ୍ଷତିଗ୍ରସ୍ତ ଚାଷୀ ନିରାଶ ହୋଇଛନ୍ତି । ପ୍ରଶାସନର ତ୍ରୁଟିପୂର୍ଣ୍ଣ ତଦନ୍ତ ଯୋଗୁଁ ଏବେ ବି ପ୍ରକୃତ ଚାଷୀ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବଂଚିତ ହୋଇଛନ୍ତି । ରାଜ୍ୟ ସରକାର ସଦର ବ୍ଲକରେ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଚାଷର କ୍ଷୟକ୍ଷତି ସଠିକ ଭାବେ ଆକଳନ ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଉଚିତ କ୍ଷତିପୂରଣ ପ୍ରଦାନ ଘୋଷଣା ପାଇଁ ଶ୍ରୀ ଦତ ଦାବି କରିଛନ୍ତି । ଅନ୍ୟଥା ଚାଷୀଙ୍କ ହକ୍ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ରବିନାରାୟଣ ପ୍ରଧାନ, ବିଜୟ ଦାସ, ଲୋକନାଥ ଭୂୟାଁ, ଅନନ୍ତ ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


