ଅଲେଖ ପ୍ରସାଦ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ବ୍ୟାଙ୍କ କର୍ମଚାରୀ ନେତା ତଥା ରାଜନେତା ଆଇନଜୀବୀ ସ୍ୱର୍ଗତ ଅଲେଖ ପ୍ରସାଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓଟିରୋଡ଼ ସ୍ଥିତ ଭେନ୍ୟା ପାରାଡାଇଜ୍ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ।‘ଅବିସ୍ମରଣୀୟ ଅଲେଖ’ ଶୀର୍ଷକ ସ୍ମରଣିକା ପୁସ୍ତିକାକୁ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳି ନାୟକ ଉନ୍ମୋଚନ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବ୍ୟାଙ୍କ୍ ସହକର୍ମୀମାନଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ, ବହୁ ରାଜନୈତିକ ଦଳର ନେତୃବୃନ୍ଦ, ଓକିଲ ସଂଘର କର୍ମକର୍ତ୍ତା, ସାମାଜିକ କର୍ମୀ ଏହି ସଭାରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବାମପନ୍ଥୀ ଆଦର୍ଶକୁ ଗ୍ରହଣ କରି ସେ ବ୍ୟାଙ୍କ୍ କର୍ମଚାରୀମାନଙ୍କ ସମେତ ବହୁ ଶ୍ରମିକ ସଂଗଠନରେ ସେ ନେତୃତ୍ୱ ନେଇଥିଲେ । ଟ୍ରେଡ୍ୟୁନିୟନ୍ ସମନ୍ୱୟ ସମିତିର ଉପାଧ୍ୟକ୍ଷ ଭାବେ ସେ ମିଳିତ ଶ୍ରମିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ । ବ୍ୟାଙ୍କ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାପରେ ବିଜେଡ଼ି ଦଳରେ ଯୋଗଦେଇ ସେ ଜଣେ ସରକାରୀ ଓକିଲଭାବେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଜୀବନକାଳ ମଧ୍ୟରେ ଜଣେ ସଫଳ ବ୍ୟକ୍ତିତ୍ୱ ଭାବେ ସେ ନିଜକୁ ପ୍ରତିପାଦିତ କରିଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ତାଙ୍କ ଜୀବନୀକୁ ନେଇ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ସ୍ମରଣିକାର ମୁଖ୍ୟ ସଂପାଦକ ଦୀପକ ବୋଷ ପ୍ରକାଶିତ ଲେଖାଗୁଡ଼ିକ ଉପରେ ନିଜର ମତ ରଖିଥିଲେ । ଗୌରୀ କୁମାର ରାଉତ, ପ୍ରଦୀପ୍ତ ପଣ୍ଡା, ଶୁଭଙ୍କର ମହାପାତ୍ର, ଅର୍ଚ୍ଚନା ନନ୍ଦୀ, ନିରଞ୍ଜନ ପରିଡ଼ା, ଶ୍ୟାମସୁନ୍ଦର ଜେନା, ଉତ୍ପଳ ମହାନ୍ତି, ମନସ୍ୱିନୀ ରଥ, ଯାଦବେଶ ମିଶ୍ର, ନିରଞ୍ଜନ ରାଉତ, ସୁରେନ୍ଦ୍ର ପ୍ରସାଦ ଦାସ, ଗୋପୀନାଥ ଶତପଥୀ, ବିପ୍ଳବ କୁମାର ମହାନ୍ତି, ଡ. ଅନୁପ କୁମାର ମହାନ୍ତି, ମନୋଜ ନାୟକ, ପ୍ରତିମା ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଥିଲେ । ପ୍ରାରମ୍ଭରେ ଅମର ଆତ୍ମାର ସଦ୍ଗତି ପାଇଁ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ଅଲେଖ ପ୍ରସାଦ ଦାସଙ୍କ ବନ୍ଧୁ ବିଷ୍ଣୁ ପ୍ରସାଦ ମହାନ୍ତି, ଦୁଇ ପୁତ୍ର ପାର୍ଥସାରଥି ଓ ପ୍ରିୟବ୍ରତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବାଲେଶ୍ୱର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ ।


