ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୦ବର୍ଷ ଜେଲଦଣ୍ଡ,୧ଲକ୍ଷ ଜରିମାନା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାଶଙ୍କ କୋର୍ଟରେ କରୋନା ପ୍ରଭାବ ଯୋଗୁଁ ଭିଡିଓ କନ୍‌ଫେରେନ୍ସ ଯୋଗେ ଏକ ମାମଲାର ବିଚାର କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ଲକ୍ଷ ଟଙ୍କା ଜରିମାନା ପାଇଁ ରାୟ ପ୍ରକାଶ ପାଇଛି । ଜରିମାନା ଅନାଦେୟ ହେଲେ ଏକବର୍ଷ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତ ୦୭.୦୬.୨୦୧୭ ତାରିଖରେ ମୋହନା ଥାନା ଏସ୍‌.ଆଇ. ପରମାନନ୍ଦ ଦଳାଇ ଏବଂ ତାଙ୍କ ଟିମ୍ ସକାଳ ୫ଘଣ୍ଟା ସମୟରେ କିର୍ତିଙ୍ଗ ନିକଟରେ ଏକ ବୋଲେର ଗାଡି ଦ୍ରୁତଗତିରେ ଆସୁଥିବାରୁ ସନ୍ଦେହ କରି ଅଟକାଇଥିଲେ । ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରୁ ୨୦ବସ୍ତା ଗଞ୍ଜେଇ ଥିବାର ଜାଣିବାକୁ ପାଇଥିଲେ । ଏହି ସମୟରେ ଗାଡିରେଥିବା ଦୁଇଜଣ ଅଭିଯୁକ୍ତ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ ମାତ୍ର ଜଣେ ଖସି ପଳାଇଥିବାବେଳେ ଅନ୍ୟ ଜଣେ ଧରାପଡିଥିଲେ । ଧରାପଡିଥିବା ଅଭିଯୁକ୍ତ ଜଣକ ହେଲେ ଗାଡି ଚାଳକ ହବିବ ଉଲ୍ଲାଖାନ ବୋଲି ଜଣାପଡିଥିଲା । ଜବତ ହୋଇଥିବା ଗଞ୍ଜେଇର ପରିମାଣ ପ୍ରାୟ ୫୨୭କେ.ଜି. ୪୦୦ଗ୍ରାମ ବୋଲି ତଦନ୍ତରୁ ଜଣାପଡିଥିଲା । ପରେ ଏସ୍‌.ଆଇ. ଶ୍ରୀ ଦଳେଇ ଗାଡି ଓ ଗଞ୍ଜେଇ ଜବତକରି ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ଉକ୍ତ ମାମଲାର ତଦନ୍ତଭାର ଏସ୍‌.ଆଇ. ମୁକେଶ ବେହେରାଙ୍କୁ ଦିଆଯାଇଥିଲା ଏବଂ ବର୍ତ୍ତମାନ ଅଭିଯୁକ୍ତ ଖାନଙ୍କ ନାମରେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଶ୍ରୀମନ୍ତ ନାୟକ ଓ ଗାଡି ମାଲିକଙ୍କ ନାମରେ ମକଦ୍ଦମା ରୁଜୁକରାଯାଇ ଚାଲୁରହିଥିଲା । ତେବେ ଅନ୍ୟ ଦୁଇଜଣ ମୁଦାଲା ଫେରାରଥିବାରୁ ଅଭିଯୁକ୍ତ ହବିବ ଉଲ୍ଲାଖାନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲୁ ରହିଥିଲା । ତେବେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ତାଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜରିମାନାପାଇଁ ଦଣ୍ଡବିଧାନ ଆଦେଶ ହୋଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଆଇନଜୀବୀ ଶରତଚନ୍ଦ୍ର ପ୍ରଧାନ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ