ଗଣିତରେ ଦିଆଯାଏନି ନୋବେଲ ପୁରସ୍କାର
ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର । ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି । ଏହି ପୁରସ୍କାର ୬ଟି କ୍ଷେତ୍ର ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଶରୀରତତ୍ତ୍ୱ/ଭେଷଜ ବିଜ୍ଞାନ, ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ନୋବେଲ ପୁରସ୍କାର । କିନ୍ତୁ ଜାଣିଛନ୍ତି କି ଏହି ପୁରସ୍କାର କାହିଁକି ଗଣିତଜ୍ଞଙ୍କୁ ଦିଆଯାଏ ନାହିଁ । ଏହା ପଛରେ କିଛି ମଜାଦାର କାହାଣୀ ଶୁଣିବାକୁ ମିଳେ । ପ୍ରଥମଟି ହେଉଛି, ଏହି ପୁରସ୍କାର ଆରମ୍ଭ ହେବାବେଳେ ଭୁଲରେ ଏହି ବିଭାଗରେ ଗଣିତ ସାମିଲ ହୋଇ ନ ଥିଲା । ଦ୍ୱିତୀୟଟି ହେଉଛି, ଆଲଫ୍ରେଡ ନୋବେଲ ଗଣିତଜ୍ଞଙ୍କୁ ପସନ୍ଦ କରୁ ନ ଥିଲେ । କାରଣ ଜଣେ ଗଣିତଜ୍ଞଙ୍କ ପାଇଁ ତାଙ୍କ ପ୍ରେମିକା ତାଙ୍କୁ ଛାଡି ପଳାଇଥିଲେ । ଫଳରେ ସେ ସାରା ଜୀବନ ଅବିବାହିତ ଥିଲେ । ତୃତୀୟଟି ହେଉଛି, ଆଲଫ୍ରେଡ ନୋବେଲ ଗଣିତ ବିଷୟରେ ରୁଚି ରଖୁ ନ ଥିଲେ । କିନ୍ତୁ ଏହି ତିନିଟି କାରଣ ମଧ୍ୟରୁ କେଉଁଟା ଠିକ୍ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ ।


