ଗାନ୍ଧୀଆନ ଚାଲେଞ୍ଜ ପ୍ରତିଯୋଗିତାର ଫଳାଫଳ ଘୋଷିତ
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଅଟଳ ନବୋନ୍ମେଷ ମିଶନ,ନୀତି ଆୟୋଗ, ୟୁନିସେଫ ଏବଂ ମାଇ ଗଭର ମିଳିତ ଆନୁକୂଲ୍ୟରେ ଆୟୋଜିତ ଗାନ୍ଧୀଆନ୍ ଚାଲେଞ୍ଜ ପ୍ରତିଯୋଗିତାର ୩୦ ଜଣ ବିଜେତା ଛାତ୍ରଛାତ୍ରୀଙ୍କ ନାମ ଆଜି ଘୋଷଣା କରାଯାଇଛି । ଏହି ବିଜେତାଙ୍କ ମଧ୍ୟରେ ଜଣେ ଓଡ଼ିଆ ଛାତ୍ର ସ୍ଥାନ ପାଇଛନ୍ତି । ପୁରୀ ଜିଲ୍ଲା ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର ଜ୍ୟୋତିପ୍ରକାଶ ରଣା ବାୟୁ ବିଶୋଧକ ଯନ୍ତ୍ର (ଏୟାର ପ୍ୟୁରିଫାୟର) ଉଦ୍ଭାବନ କରି ବିଜ୍ଞାନ ଓ ପ୍ରଯୁକ୍ତି ଓ ନବୋନ୍ମେଷ ବର୍ଗରେ ୧୬ ଜଣ କୃତୀ ପ୍ରତିଯୋଗୀଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଗାନ୍ଧୀଜୀଙ୍କ ଆଦର୍ଶ ମାର୍ଗରେ ବିଶ୍ୱ ତାପନ, ହିଂସା ଓ ଅସହିଷ୍ଣୁତା ବୃଦ୍ଧି ଭଳି ବୈଶ୍ୱିକ ସମସ୍ୟାର ମୁକାବିଲା କରିବା ଲାଗି ଅଭିନବ ସମାଧାନ ସନ୍ଧାନ କରିବା ଉଦ୍ଦେଶ୍ୟରେ ଗାନ୍ଧୀଆନ ଚାଲେଞ୍ଜ ଆୟୋଜନ କରାଯାଇଥିଲା । ଦୁଇଟି ବର୍ଗ, ଯଥା- କଳା ଓ ନବୋନ୍ମେଷ ଏବଂ ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷ ବର୍ଗରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ତିନି ହଜାର ଅଟଳ ଟିଙ୍କରିଂ ଲାବ ଥିବା ସ୍କୁଲ ଓ ଗୋଷ୍ଠୀ ବିଦ୍ୟାଳୟର ପାଖାପାଖି ୩୮୦୦ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ନୀତି ଆୟୋଗର ଅଟଳ ନବୋନ୍ମେଷ ମିଶନର ନିର୍ଦ୍ଦେଶକ ଶ୍ରୀ ଆର.ରମଣନ କହିଛନ୍ତି ଯେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳା, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରହିଥିବା ସୃଜନଶୀଳତା ଏବଂ ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଗାନ୍ଧୀଆନ ଚାଲେଞ୍ଜ ଆୟୋଜନ କରାଯାଇଥିଲା । ନଭେମ୍ବର ୨୦ ବିଶ୍ୱ ଶିଶୁ ଦିବସ ଏବଂ ଶିଶୁ ଅଧିକାର ସମ୍ମେଳନ (ସିଆରସି)ର ୩୦ତମ ବାର୍ଷିକୀ ଅବସରରେ ଏପରି ଏକ ଚାଲେଞ୍ଜ ଆୟୋଜନ କରାଯିବା ବେଶ ସମୟୋପଯୋଗୀ ହୋଇପାରିଛି । ଭାରତରେ ୟୁନିସେଫର ପ୍ରତିନିଧି ଡ. ଯସ୍ମିନ ଅଲି ହକ, ମାଇ ଗଭର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ସିଂ ପ୍ରମୁଖ ବିଜେତାମାନଙ୍କ ଅଭିନନ୍ଦନ ଜଣାଇଛନ୍ତି । ବିଜେତାମାନଙ୍କ ଅଟଳ ନବୋନ୍ମେଷ ମିଶନର ନିର୍ଦ୍ଦେଶକ, ୟୁନିସେଫର ପ୍ରତିନିଧି ଏବଂ ମାଇ ଗଭର ସିଇଓଙ୍କ ଦ୍ୱାରା ପ୍ରମାଣପତ୍ର ସହ ସମ୍ମାନିତ କରାଯିବ ।


