ଭିଡ଼ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟଗୁଡ଼ିକୁ : ରାଷ୍ଟ୍ରମନ୍ତ୍ରୀଙ୍କ ପରାମର୍ଶ

ଭିଡ଼ ହିଂସା ମାମଲାରେ ଆଜି ଲୋକସଭାରେ ବିସ୍ତୃତ ଉତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ । ସେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଭିଡ଼ ହିଂସା ମାମଲାର ତଥ୍ୟ ରଖିନାହିଁ । ତେବେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଆଇନ ହାତକୁ ନେଉଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୨୩.୦୭.୨୦୧୮ ଏବଂ ୨୫.୦୯.୨୦୧୮ରେ ଏପରି ପରାମର୍ଶ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସରକାରଙ୍କୁ ଜାରି କରାଯାଇଥିଲା । ଦେଶରେ ଦେଖାଦେଇଥିବା ଭିଡ଼ ହିଂସା ମାମଲାର ମୁକାବିଲା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏଥିରେ କୁହାଯାଇଥିଲା । ଏହାବ୍ୟତୀତ ଭିଡ଼ ହିଂସା ଭଳି ଅପରାଧର ମୁକାବିଲା ଲାଗି ସରକାର ଶବ୍ଦ ଓ ଦୃଶ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିଛନ୍ତି । ମିଥ୍ୟା ଖବର ଏବଂ ଗୁଜବ କାରଣରୁ ଭିଡ଼ ହିଂସା ଓ ଆକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହାର ପ୍ରଚାରପ୍ରସାର ଉପରେ କଟକଣା ଜାରି କରିବା ଲାଗି ସେବା ପ୍ରଦାନକାରୀଙ୍କୁ ସରକାର ସତର୍କ କରାଇଛନ୍ତି । ଶ୍ରୀ ରାୟ କହିଥିଲେ ଯେ ୦୪.୦୭.୨୦୧୮ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଥ୍ୟା ଖବର ଓ ଗୁଜବ ପ୍ରସାର ଉପରେ ଅଙ୍କୁଶ ଲଗାଇବା ତଥା ଆଇନ ହାତକୁ ନେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଏଥିପୂର୍ବରୁ ୦୯.୦୮.୨୦୧୬ରେ ଗୋ-ସୁରକ୍ଷା ନାମରେ ଆଇନ ହାତକୁ ନେଉଥିବା ଦୁର୍ବୃତଙ୍କ ବିରୋଧରେ ତ୍ୱରିତ ଏବଂ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ କୁହାଯାଇଥିଲା । ସମ୍ବିଧାନର ସପ୍ତମ ଅନୁସୂଚୀରେ ‘ପୁଲିସ’ ଓ ‘ଅପରାଧ ନିୟନ୍ତ୍ରଣ’କୁ ରାଜ୍ୟ ଅଧୀନରେ ରଖାଯାଇଛି । ଅପରାଧ ନିୟନ୍ତ୍ରଣ, ନିରାକରଣ, ପଞ୍ଜିକରଣ, ତଦନ୍ତ ଏବଂ ଅପରାଧୀଙ୍କ ଦଣ୍ଡବିଧାନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ରାୟ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ