ଗୀତା ଓ ମାନବବାଦ ଦୁଇଦିନିଆ ଆଲୋଚନାଚକ୍ର ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଦ୍ମଶ୍ରୀ ଶ୍ରୀମତ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ ‘ଗୀତା ଓ ମାନବବାଦ’ ଶୀର୍ଷକ ଦୁଇଦିନିଆ ଆଲୋଚନାଚକ୍ର ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ସ୍ୱୀୟ ଆଶୀର୍ବଚନରେ କହିଲେ ଯେ, ଗୀତା ଗ୍ରନ୍ଥ ଏକ ଧର୍ମଶାସ୍ତ୍ର ନୁହେଁ କିମ୍ବା କୌଣସି ନିଦ୍ଦିଷ୍ଟ ଜାତି, ଧର୍ମ, ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ସମଗ୍ର ବିଶ୍ୱର ପ୍ରତିଟି ମଣିଷମାନଙ୍କ ପାଇଁ ଉଦ୍ଦିଷ୍ଟ । ଗୀତା ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବାର ମାର୍ଗଦର୍ଶନ କରିଅଛନ୍ତି । ଗୀତା ମାନବବାଦର ପ୍ରତିଷ୍ଠା, ଅତ୍ୟନ୍ତ ସଶକ୍ତ ଭାବେ ପ୍ରତିଷ୍ଠିତ କରିଅଛନ୍ତି ।ଶ୍ରୀମଦ୍ ଭଗବତ ଗୀତା କେବଳ ଏକ ଧର୍ମ ନୁହେଁ, ଏହା ମାନବବାଦର ସର୍ବଶ୍ରେଷ୍ଠ ଓ ସର୍ବପ୍ରାଚୀନ ଉଦ୍‌ଘୋଷକ । ଶରୀରରୁ ଆତ୍ମା ପର୍ଯ୍ୟନ୍ତ ଯାତ୍ରା ଲାଗି ପଥ ସୁଗମ କରୁଥିବା ଆଲୋକ ବର୍ତ୍ତିକା ହିଁ ଗୀତା । ଏହାକୁ ମନୁଷ୍ୟ ଯେତେ ପାଠ କରୁଥିବେ, ସେଥିରୁ ସେତିକି ନୂଆ ନୂଆ ତଥ୍ୟ ଓ ପ୍ରେରଣା ଆହରଣ କରୁଥିବେ । ସ୍ଥୁଳ ମନୁଷ୍ୟ ମଧ୍ୟରେ ଅହରହ ଚାଲିଥିବା ମହାଭାରତ ସଂଗ୍ରାମରେ, ମୋହ ଓ ଅଜ୍ଞାନ ସଦୃଶ ଅନ୍ଧ ଧୃତରାଷ୍ଟ୍ରଙ୍କୁ ଚକ୍ଷୁସ୍ମାନ ସଞ୍ଜୟଙ୍କ ଭଳି ଗୀତା ଦିବ୍ୟ ସନ୍ଦେଶ ଦେଇ ଚାଲିଥିବ । ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଆନ୍ତର୍ଜାତିକ ଗୀତା ମିଶନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦୁଇଦିନିଆ ଆଲୋଚନା ଚକ୍ରର ଉଦ୍‌ଯାପନୀ ସନ୍ଧ୍ୟାରେ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ନିଜ ନିଜ ବକ୍ତବ୍ୟରେ ଏହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଗୋପାଳ ମହାପାତ୍ର ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ଦୈନିକ ଜୀବନରେ ଗୀତାର ଆବଶ୍ୟକତା ଉପରେ ଗୁୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଉପସଭାପତି ଶଙ୍କର୍ଷଣ ରାଉତ ସ୍ୱାଗତ ଭାଷଣ ଓ ଡଃ ସ୍ୱପ୍ନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁପ ଦେ, ଝରଣାବାଳା ଦାସ, ନମିତା ଦାସ, ଜ୍ୟୋତିରଞ୍ଜନ ଦାସ, ରଶ୍ମିତା ରଥ, ଜ୍ୟୋତ୍ସ୍ନା ରଥ, ତପନ ରାଉତ, ସୁଶାନ୍ତ ବରାଳ, ବାସନ୍ତୀ ଜେନା, ସଞ୍ଜୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ବିଶେଷଭାବେ ସହଯେଗା କରିଥିଲେ । ଏଥିରେ ଅନେକ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସାଧୁସନ୍ଥଙ୍କ ସମେତ ବହୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ