ଗୋଟିଏ ଦିନରେ “ମୋ ବସ୍’ରେ ଗଲେ ଲକ୍ଷେ ଯାତ୍ରୀ
ଭୁବନେଶ୍ୱର: “ମୋ ବସ୍’ରେ ଗୋଟିଏ ଦିନରେ (ଅକ୍ଟୋବର ୧୪ରେ) ୧,୦୧,୮୮୧ ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ଦିନକରେ ଏକ ଲକ୍ଷ ଯାତ୍ରୀ ଯାତ୍ରା କରିବା ରାଜଧାନୀବାସୀ “ମୋ ବସ୍’ରେ ଯାତାୟାତ କରିବାକୁ ପସନ୍ଦ କରୁଥିବା ସୂଚାଉଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି । କ୍ରୁଟ୍ ପକ୍ଷରୁ “ମୋ ବସ୍’ ଯୋଜନା ଆରମ୍ଭ ହେବାର ବର୍ଷକ ମଧ୍ୟରେ ଏହି ସଫଳତା ମିଳିଥିବାରୁ ଏହାକୁ କିପରି ଅଧିକ ଲୋକାଭିମୁଖୀ କରିହେବ ସେନେଇ କ୍ରୁଟ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଏବେ ଦୈନିକ ହାରାହାରି ୮୦ହଜାର ଲୋକ “ମୋ ବସ୍’ରେ ଯାତ୍ରା କରୁଛନ୍ତି । ଅଗଷ୍ଟ ମାସ ଶେଷ ସୁଦ୍ଧା ଦୈନିକ ଯାତ୍ରୀ ଯାତାୟାତ ହାର ୭୦ହଜାର ଥିବାବେଳେ ଦେଢ଼ ମାସରେ ଏହା ଏକ ଲକ୍ଷ ଟପିବା ଆମକୁ ଉତ୍ସାହିତ କରିଛି ବୋଲି ସେ କହିଛନ୍ତି । କ୍ରୁଟର ସୂଚନା ଅନୁଯାୟୀ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ହଠାତ୍ “ମୋ ବସ୍’ରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥିଲା । ସେପ୍ଟେମ୍ବର ୬ରେ ଯାତ୍ରୀ ଯାତାୟାତ ୯୬ହଜାରରେ ପହଞ୍ଚିଥିବାବେଳେ ସେପ୍ଟେମ୍ବର ୮ରେ ଏହା ୯୪ହଜାର ଛୁଇଁଥିଲା । କ୍ରୁଟ୍ ପକ୍ଷରୁ ଆରମ୍ଭ ହୋଇଥିବା ଫ୍ରିଡମ୍ ମନ୍ଥଲି ପାସ୍ ଏବଂ ନ୍ୟୁଜ୍ ପେପର୍ ଅନ୍ ହୁଇଲ୍ସ ଭଳି ସେବା ଯୋଗୁଁ ଅଧିକ ଯାତ୍ରୀ “ମୋ ବସ୍’ରେ ଯାତାୟତ କରିବାକୁ ପସନ୍ଦ କରୁଛନ୍ତି ବୋଲି କୁହାଯାଇଛି । ଅପରପକ୍ଷେ ଯାତ୍ରୀ ବଢ଼ିବା ସହ “ମୋ ବସ୍’ର ଆୟ ବି ବ?ିଛି । ମେ ମାସରେ “ମୋ ବସ୍’ର ଆୟ ୫ଲକ୍ଷ ୩୯ହଜାର ୨୩୩ ଟଙ୍କା ହୋଇଥିବା ବେଳେ ଅକ୍ଟୋବର ୧୪ରେ ୧୩ଲକ୍ଷ ୮୧ହଜାର ୩୭୧ଟଙ୍କା ଆୟ ହୋଇଛି । ସେହିପରି ଜୁନରେ ୬,୭୦,୬୨୧ଟଙ୍କା, ଜୁଲାଇରେ ୮,୨୧,୧୨୭ଟଙ୍କା, ଅଗଷ୍ଟରେ ୯,୭୬,୫୯୦ଟଙ୍କା, ସେପ୍ଟେମ୍ବରରେ ୧୧,୬୩,୭୯୨ ଟଙ୍କା ଆୟ ହୋଇଛି ।


