ଗୋପାଳପୁର ବନ୍ଦରକୁ ମାଲ୍ ପରିବହନ ବିବାଦ ତୁଟିଲା

ଛତ୍ରପୁର,(ଯୁଗାବ୍ଦ ନୁଜ୍‌): ଗୋପାଳପୁର ବନ୍ଦରକୁ କଞ୍ଚାମାଲ ପରିବହନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପୂର୍ଣ୍ଣଛେଦ ପଡିଛି । ଗୋପାଳପୁର ବନ୍ଦରକୁ ମାଲ୍ ପରିବହନ ନିମନ୍ତେ ଗଞ୍ଜାମ ଜିଲ୍ଲା ଟ୍ରକ୍ ମାଲିକ ସଂଘ ବଞ୍ଚିତ ଥିବାରୁ ସଂଘ ପକ୍ଷରୁ ୫ ଦିନ ଧରି ବନ୍ଦର ସମ୍ମୁଖରେ ଧାରଣା ଦେଇଥିଲେ । ଗଞ୍ଜାମ ଜିଲ୍ଲା ଟ୍ରକ୍ ମାଲିକ ସଂଘର ଦାବି ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଗୋପାଳପୁର ସ୍ୱତ୍ତି ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ତ୍ରିପାକ୍ଷିକ ବୈଠକରେ ସମାଧାନର ବାଟ ବାହରିଥିଲା । ସ୍ୱତନ୍ତ୍ର ବୈଠକରେ ଗୋପାଳପୁର ବନ୍ଦରକୁ କଞ୍ଚାମାଲ୍ ପରିବହନ କରିବା ନିମନ୍ତେ ଚୁକ୍ତିନାମା କରିଥିବା ଏ.ବି.ସନ୍‌. କମ୍ପାନି ପକ୍ଷରୁ କର୍ଣ୍ଣଲ, ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ, ଗଞ୍ଜାମ ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ପ୍ରମୋଦ କୁମାର ଜେନା, ଟି.ଚନ୍ଦ୍ର ଶେଖର ରାଓ, ଅଙ୍ଗତ ବିଶ୍ୱାଳ, ରଞ୍ଜିତ୍ ପଣ୍ଡା, ବିକ୍ରମ କେଶରୀ ପଟ୍ଟନାୟକ ଓ ପତିତପାବନ ସାହୁ, ଏ.ବି.ସନ୍‌. କମ୍ପାନି ସହିତ ପରିବହନ ନିମନ୍ତେ ଚୁକ୍ତିନାମା କରିଥିବା ୪ ଟି ଭେଣ୍ଡର ମାଲିକ ଏବଂ ସାମୁଦ୍ରିକ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଗୋପାଳପୁର ବନ୍ଦରକୁ ମାଲ ପରିବହନ ନିମନ୍ତେ ଗଞ୍ଜାମ ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ସୁଯୋଗ ଦିଆଯିବ । ମାଲିକ ସଂଘ ପକ୍ଷରୁ ମାଲ୍ ପରିବହନ ନିମନ୍ତେ ଟନ୍ ପିଛା ଦାବି ରଖିଥିବା ମୂଲ୍ୟକୁ ଏବଂ କମ୍ପାନି ଚୁକ୍ତିନାମା କରିଥିବା ଭେଣ୍ଡର ମଧ୍ୟରେ ଉଭୟ ପକ୍ଷକୁ ସୁଆଇଲା ଭଳି ଏକ ମୂଲ୍ୟକୁ ଧାର୍ଯ୍ୟ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ଟ୍ରକ୍ ମାଲିକ ସଂଘ ରାଜି ହୋଇଥିଲେ । ଏହାପରେ ଟ୍ରକ୍ ମାଲିକ ସଂଘ ସେମାନଙ୍କ ଧାରଣାରୁ ଏହରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ