ଗୋଷାଣୀ ବ୍ଲକରେ ପ୍ଲମ୍ବରମାନଙ୍କ ପରୀକ୍ଷା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସଦର ମହକୁମା ଠାରେ ଥିବା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ ଗୃହ ଠାରେ ଆଜି ପ୍ଲମ୍ବରମାନଙ୍କ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆର୍‌ଡବ୍ଲ୍ୟୁଏସ୍‌ଏସ୍ ବିଭାଗ ଦ୍ୱାରା ନିୟୋଜିତ ପ୍ଲମ୍ବରମାନଙ୍କୁ ନେଇ ଗ୍ରାମତରଙ୍ଗ (ସିୟୁଟିଏମ୍‌) ଅର୍ମାସ, ଆଇପିଏସ୍‌ସି, ଆରଡବ୍ଲ୍ୟୁଏସ୍‌ଏସ୍‌ର ମିଳିତ ଆନୁକୁଲ୍ୟରେ ଏହିକାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବ୍ଲକର ୨୩ଜଣ ପ୍ଲମ୍ବରଙ୍କ ମଧ୍ୟରୁ ୧୯ଜଣ ପରୀକ୍ଷା ଦେଇଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ଲମ୍ବରମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଥିବା ପ୍ଲମ୍ବିଂ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ଜଣାପଡିଛି ।ପରୀକ୍ଷା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋଷାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ପରୀକ୍ଷାର ନୋଡାଲ ଅଧିକାରୀ ତଥା ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ନାୟକ ପ୍ରମୁଖ ଯୋଗ ଦେଇ ପରୀକ୍ଷାର୍ଥୀଙ୍କୁ ଦକ୍ଷ ସ୍ୱାବଲମ୍ବିକାରୀଗର ଭାବେ ପ୍ରତିଷ୍ଠିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ନିୟୋଜିତ ସତ୍ୟବ୍ରତ ଲେଙ୍କା ପରୀକ୍ଷକ ଭାବେ ଯୋଗଦେଇଥିବା ବେଳେ ହୃଷିକେଷ ଜେନା ଓ ଜିତେନ୍ଦ୍ର ବେହେରା ପରୀକ୍ଷା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପ୍ଲମ୍ବରମାନଙ୍କୁ ନେଇ ଗତ ୩୧.୧୦.୨୦୨୨ ଠାରୁ ୦୯.୧୧.୨୦୨୨ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଶିକ୍ଷକ ଭାବେ ମନ୍ମଥ ସ୍ୱାଇଁ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଏହାପରେ ଏହି ପରୀକ୍ଷା କାର୍ଯ୍ୟକ୍ରମ ହୋଇଥିବାର ଜଣାପଡିଛି । ଏପରି ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକ ଯଥା ମୋହନା, ଆର୍‌.ଉଦୟଗିରି, ନୂଆଗଡ, ରାୟଗଡ, କାଶୀନଗର, ଗୁମ୍ମା ପରେ ଶେଷରେ ଆଜି ଗୋଷାଣୀ ବ୍ଲକରେ ସମାପନ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମତରଙ୍ଗ ସଂସ୍ଥାର ପରିଚାଳକ ଶୌଳେଶ୍ୱର ପଟ୍ଟନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ