ଗ୍ରାମାଂଚଳରେ ମଦ କାରବାର ବୃଦ୍ଧି
ହିଞ୍ଜିଳିକାଟୁ,(ୱାଏନଏସ):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ ହିଂଜିଳି ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମାଂଚଳରେ ମଦ କାରବାର ବୃଦ୍ଧି ପାଇଥିବା ଜଣାପଡ଼ିଛି । ବିଦେଶୀ ମଦର କଳାବଜାର ହେଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନିପ୍ ପିଛା ଦର ୨ ଗୁଣରୁ ଅଧିକ ଦରରେ ବିକ୍ରି କରାଯାଉଥିବା ଲକ୍ଷ୍ୟ କରାଯାଉଛି । ପୋଲିସ ଓ ଅବକାରୀ ବିଭାଗୀୟ କର୍ମଚାରୀ ମାନେ ଡ଼ାଳେ ଡ଼ାଳେ ଗଲେ ଚୋରା ମଦ ବେପାରୀ ମାନେ ଏହାର ଅନ୍ୟ ତରିକାକୁ ଆପଣେଇ ଚୋରାରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ହିଂଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗତ ୧ ମାସ ମଧ୍ୟରେ ପ୍ରାୟ ୫ଶହ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ କରାଯାଇଥିବା ବେଳେ ବହୁ ପରିମାଣରେ ବିଦେଶୀ ମଦ ଜବତ କରାଯାଇଛି । ଗୁରୁବାର ସ୍ଥାନୀୟ ଥାନା ଶ୍ୟାମଳାଇ ଛକ ନିକଟରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ତନଖି ବେଳେ ୨୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଚୋରାରେ ଦେଶୀ ମଦ ଚାଲାଣ କରୁଥିବା ଅଭିଯୋଗରେ ସ୍ଥାନୀୟ ଥାନା ନରେନ୍ଦ୍ରପୁର ଗ୍ରାମର ନିତ୍ୟାନନ୍ଦ ପ୍ରଧାନଙ୍କୁ ଗିରଫ କରିଥିଲା । ଏ ନେଇ ହିଂଜିଳି ଥାନା ନଂ- ୧୨୨/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟ ପକ୍ଷରେ ସ୍ଥାନୀୟ ତହସିଲଦାର ଗୋପିନାଥ କୁଅଁରଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ଡ଼ି. ପାଟପୁର ଅଂଚଳର ଏକ ଢାବା ଉପରେ ଚଢାଉ କରି ୫ ପେଟି ବିୟର ଜବତ କରିଥିବା ବେଳେ ଶୁକ୍ରବାର ବୁରୁପୋଡ଼ା ହାଇସ୍କୁଲ ଛକ ନିକଟରୁ ୨ଶହ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଜବତ କରାଯାଇଥିବା ବିଦେଶୀ ମଦକୁ ଅବକାରୀ କାର୍ଯ୍ୟାଳୟରେ ଜିମା ଦିଆଯାଇଥିବା ବେଳେ ଦେଶୀ ମଦ ପାଉଚ୍କୁ ନିଆଁ ଲଗାଇ ନଷ୍ଟ କରି ଦିଆଯାଇଛି । ଚଢାଉରେ ଅତିରିକ୍ତ ତହସିଲଦାର ସୁନିଲ ପ୍ରଧାନ, ହିଂଜିଳି ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ, ବୁରୁପୋଡ଼ା ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ଅମିନ ନିରଂଜନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


