ଗ୍ରାମ୍ୟ ବ୍ୟାଙ୍କ୍ ଅଧିକାରୀଙ୍କ ଦ୍ୱାରା ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ
ଭୁବନେଶ୍ୱର, (ୱାଇଏନ୍ଏସ୍): ଗ୍ରାମ୍ୟ ବ୍ୟାଙ୍କ୍ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୫ ଲକ୍ଷ ୨୫ ହଜାର ୫ ଶହ ଟଙ୍କା ଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବ୍ୟାଙ୍କ୍ର ଅଧ୍ୟକ୍ଷ ଶ୍ରୀ ମୋହନ ଏମ୍. ଏବଂ ଜେନେରାଲ୍ ମ୍ୟାନେଜର ଶ୍ରୀ ବସନ୍ତ କୁମାର ପାତ୍ରଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ଅନୁଷ୍ଠାନିକ ଅର୍ଥ ବ୍ୟବସ୍ଥା ନିର୍ଦ୍ଦେଶକ ଡଃ ପ୍ରଜ୍ଞାସ୍ମୀତା ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ମୋହନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର କୋଭିଡ଼୍ ପରିଚାଳନା ଉତ୍ତମ ସ୍ତରର ହୋଇଛି । ଓଡ଼ିଶା ଅନ୍ୟରାଜ୍ୟକୁ ଅମ୍ଳଜାନ ଯୋଗାଇଛି । କୋଭିଡ଼୍ ଚିକିତ୍ସାପାଇଁ ସ୍ୱତନ୍ତ୍ର ହସ୍ପିଟାଲ୍, ମାଗଣା ଓୗଷଧ ଓ ଚିକିତ୍ସା ଆଦି କ୍ଷେତ୍ରରେ ରାଜ୍ୟ ଅନେକ ଉଦାହରଣ ସୃଷ୍ଟି କରିଛି । ରାଜ୍ୟର ଏହି ଲଢ଼େଇରେ ଯୋଗଦାନ ସ୍ୱରୂପ ଗ୍ରାମ୍ୟ ବ୍ୟାଙ୍କ୍ର ଅଧିକାରୀ ଏବଂ କର୍ମଚାରୀମାନେ ନିଜ ନିଜ ଦରମାରୁ ମିଳିତ ଭାବେ ଏହି ପାଣ୍ଠି ଦାନ କରିଛନ୍ତି । ଅଧ୍ୟକ୍ଷ ନିଜେ ୧ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ବିଭିନ୍ନ ଅଧିକାରୀ ମାନେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଦାନ କରିଛନ୍ତି । ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏତାଦୃଶ ସହଯୋଗ ନିମନ୍ତେ ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିଜ ଜୀବନଧାରାରେ କୋଭିଡ଼୍ ନିୟମ ଅନୁପାଳନ ଜାରି ରଖିବାକୁ ଅନୁରୋଧ କରିଥିଲେ ।


