ଘୁମୁସର ଜିଲ୍ଲା ଦାବୀ ଆନ୍ଦୋଳନର ଜରୁରୀ ବୈଠକ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ ଜେନା):ଗୁରୁବାର ଅପରାହ୍ନରେ ଓକିଲ ସଂଘ ପ୍ରକୋଷ୍ଠ ରେ ସଂଘର ସଭାପତି ସନ୍ତୋଷ କୁମାର ନାୟକ ଙ୍କ ସଭାପତିତ୍ୱରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଙ୍କ ସହ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଦଣ୍ଡପାଣି ସ୍ବାଇଁ, ପ୍ରମୋଦ ପ୍ରଧାନ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଜର୍ଜ ତିଆଡ଼ି, କବି ପ୍ରଶାନ୍ତ ମହାନ୍ତି, ଗୋପାଳ କୃଷ୍ଣ ବିଷୋୟୀ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ଏହି ଆନ୍ଦୋଳନର ଆଇନ ଗତ ଦିଗ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା।ଘୁମୁସର ଜିଲ୍ଲା ଦାବୀର ଯଥାର୍ଥତା ଉପରେସଂଗୃହୀତ ସମସ୍ତ କାଗଜାତ ଗୁଡିକୁ ଅନୁଧ୍ୟାନ କରିବାକୁ ଶ୍ରୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କର ଆସନ୍ତା ଭଞ୍ଜନଗର ଗସ୍ତ ସମୟରେ ଏକ ପ୍ରତିନିଧି ଦଳ ଦେଖା କରି ଏଦିଗରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କ ରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ଘୁମୁସର ସବଡିଭିଜନର ସମସ୍ତ ଐତିହାସିକ, ଗବେଷକ, ସାହିତ୍ୟିକ ତଥା ଉତ୍ସାହି ବ୍ୟକ୍ତି ବିଶେଷଙ୍କୁ ଏ ଆନ୍ଦୋଳନରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି। ନିକଟରେ ଐତିହାସିକ ବନ୍ଧୁ ମାନେ ଭଞ୍ଜନଗର ମହାବିଦ୍ୟାଳୟ ରେ ଘୁମୁସର ଇତିହାସ ଉପରେ ଏକ ସଂକଳନ ପ୍ରକାଶ କରିବାକୁ ଯାଉଥିବାରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି।ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବୀ ସମ୍ପର୍କରେ ଚିଠି ଲେଖିବା ଅଭିଯାନ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ସ୍ଥିର ହୋଇଥିଲା।ଶେଷରେ ୟୁଜେଏର ସଭାପତି ଜୟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


