ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ବୋମାମାଡ଼
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଝିଅ ବାହାଘର ପାଇଁ ଟଙ୍କା କରଜ ଆଣି ଠିକ୍ ସମୟରେ ନ ଶୁଝିନଥିବା ବେଳେ ଟଙ୍କା ଦେଇଥିବା ବ୍ୟକ୍ତି ତାର ଟଙ୍କା ଫେରି ପାଇବା ପାଇଁ ବାରମ୍ବାର ମାଗିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଧାର ନେଇଥିବା ବ୍ୟକ୍ତି ଧାର ଦେଇଥିବା ବ୍ୟକ୍ତିଙ୍କୁ ଟଙ୍କା ଦେବା ବାହାନାରେ ଘରୁ ଡାକିନେଇ ପଛପଟୁ ବୋମାମାଡ଼ କରିବା ଘଟଣା ଆଜି ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ଏନେଇ ଆହତ ବ୍ୟକ୍ତିଙ୍କ ପରିବାର ଠାରୁ ଖବର ନେବାରୁ ଜଣା ପଡିଛି ଯେ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ ବ୍ଳକ୍ ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ପଣିବନ୍ଧ ଗ୍ରାମର କାମରାଜୁ ସ୍ଵାଇଁଙ୍କ ପୁଅ ଟୁକୁନା ସ୍ୱାଇଁ ସେହି ଗ୍ରାମର ଭୋଳା ସ୍ୱାଇଁ (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ଭଉଣୀ ବାହାଘର ପାଇଁ ପୂର୍ବରୁ ଦୁଇ ଲକ୍ଷ ଟଙ୍କା ଦେଇଥିଲା I ଟୁକୁନା ତା ପଇସା ପାଇବାରେ ବିଳମ୍ବ ହେବାରୁ ସେ ଭୋଳାକୁ ବାରମ୍ବାର ଟଙ୍କା ମାଗିଥିଲା I କିନ୍ତୁ ଭୋଳାର ପରିବାର ଆଜି କାଲି ଦେବାକୁ କହି ସମୟ ଗଡାଇ ଚାଲିଥିଲେ I ଆଜି ସକାଳ ୧୦ ଘଣ୍ଟା ୩୦ମିନଟ୍ ସମୟରେ ଟୁକୁନା ତା ଘରେ ଥିବାବେଳେ ଭୋଳା ସ୍ଵାଇଁ ଏବଂ ତାର ସାଙ୍ଗ ସନାତନ ବେହେରା (୨୬) ଟୁକୁନାକୁ ତାର ଘରୁ ଡାକିନେଇ ଟଙ୍କା ବାବଦରେ କଥାବାର୍ତ୍ତା ହେବାକୁ ଭୋଳା ତା ଘରକୁ ଯିବାକୁ କହିଥିଲା I ଟୁକୁନା ଆଗେ ଆଗେ ଯାଉଥିବା ବେଳେ ଭୋଳା ଏବଂ ସନାତନ ତାଠାରୁ ଦୂରତ୍ୱ ରକ୍ଷା କରି ପଛରେ ରହିଯାଇଥିଲେ I ଟୁକୁନା ଭୋଳାର ଷଡଯନ୍ତ୍ର୍ ବୁଝିନପାରି ଆଗେ ଆଗେ ଯାଉଥିବା ବେଳେ ରଘୁନାଥ ମନ୍ଦିର ପାର୍ଶ୍ୱରେ ଟୁକୁନା ଉପରକୁ ପଛପଟୁ ଭୋଳା ଏକ ହାତ ବୋମା ଫୋପାଡ଼ି ଥିଲା I ଫଳରେ ଟୁକୁନା ର ମୁଣ୍ଡ ଏବଂ ହାତ ଗୋଡ଼ରେ ଗଭୀର ଆଘାତ୍ ଲାଗିବା ସହ ଟୁକୁନା ଛିଟିକି ପଡ଼ିଥିଲା I ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ୍ ଡକାଇ ଟୁକୁନା କୁ ପ୍ରଥମେ ଆସିକା ଆସିକା ଉପଖଣ୍ଡ ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରିଥିଲେ I ଟୁକୁନା ର ପରିବାର ଟୁକୁନା ପାଖରେ ବ୍ରହ୍ମପୁର ମେଡିକାଲ ରେ ଥିବାରୁ ସନ୍ଧ୍ୟା ସୁଦ୍ଧା ପରିବାର ତରଫରୁ ଥାନାରେ କୌଣସୀ ଏତାଲା ଦିଆଯାଇନଥିବା ବେଳେ ଗାଙ୍ଗପୁର ପୋଲିସ୍ ଖବର ପାଇ ନିଜ ଆଡ଼ୁ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖି ଜେରା କରୁଥିବା ଗାଙ୍ଗପୁର ପୋଲିସ୍ ସୂତ୍ରରୁ ପ୍ରକାଶ I ଆହତ ଟୁକୁନା ର ପରିବାର ସହ ଆଲୋଚନା କରିବା ପରେ କେଉଁ କାରଣରୁ ବୋମାମାଡ଼ ହୋଇଛି ଏବଂ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଜଣା ପଡ଼ିବ ବୋଲି ପୋଲିସ୍ ସୂତ୍ରରୁ ଖବର ମିଲିଛି I ଅନ୍ୟପଟେ ଟୁକୁନା ଏମନରେଗା ରେ କାର୍ଯ୍ୟ କରୁ୍ଥିବା ବେଳେ ସୁପାରି ଦେଇ ମଧ୍ୟ ଟୁକୁନା ଉପରେ ବୋମାମାଡ଼ କରାଯାଇଥିବା କିଛି ସ୍ଥାନୀୟ ଲୋକ ଆଲୋଚନା କରୁଥିବା ବେଳେ ଅନ୍ୟ କିଛି ଲୋକ ଟୁକୁନା ଏକ ରାଜନୈତିକଦଳର କର୍ମୀ ହୋଇଥିବାରୁ ପଂଚାୟତ ନିର୍ବାଚନ ପୂର୍ବରୁ ଏହା ଏକ ରାଜନୈତିକ ହିଂସା କାଣ୍ଡ ବୋଲି ମଧ୍ୟ ଆଲୋଚନା କରୁଛନ୍ତି I ତେଣୁ ପୋଲିସ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ବୋମାମାଡ଼ର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଲୋଚନା ହେଉଛି I ଭୋଳା ଏବଂ ସନାତନ ପୂର୍ବରୁ ସୁରଟ୍ ରୁ ରହୁଥିବା ବେଳେ ଏବେ କିଛିଦିନ ହେବ ଗାଁଆରେ ରହିଆସୁଥିଲେ I ଖୁବ୍ ଶୀଘ୍ର ଘଟଣାର ରହସ୍ୟ ଜଣାପଡ଼ିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ସୂଚନା ଦେଇଛନ୍ତି I


