ଚଳିତ ବର୍ଷ କରୋନା ଯୋଗୁଁ କାଉଡ଼ିଆଙ୍କ ଜଳଲାଗି ବନ୍ଦ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ବର୍ଷ ବୋଲବମ ଭକ୍ତଙ୍କୁ ଶ୍ରାବଣ ମାସରେ ଜଲଲାଗି କରିବା ପାଇଁ ଶୌବପୀଠକୁ ବାରଣ କରାଯାଇଛି । ପ୍ରତ୍ୟେକ ବର୍ଷ କାଉଡ଼ିଆ ମାନେ ଶ୍ରାବଣ ମାସରେ ଜଳଭାର ଧରି ଶିବ ମନ୍ଦିରକୁ ଯାଇଥାନ୍ତି । କୋଭିଡ଼-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଧାର୍ମିକ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି । ଏ ନେଇ ଶନବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବର୍ତମାନର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କାଉଡ଼ିଆ ଭକ୍ତ ମାନଙ୍କୁ ବିଭିନ୍ନ ନଦୀରୁ ଜଳ ଭାର ନେଇ ଶୌବ ପୀଠକୁ ଜଳଲାଗି କରିବା ଉପରେ ରୋକ ଲଗାଯାଇଛି । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ପ୍ରତ୍ୟେକ ବର୍ଷ ପ୍ରାୟ ଶତାଧିକ ବୋଲବମ କମିଟି ପକ୍ଷରୁ ୧୦ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆ ବିଭିନ୍ନ ପବିତ୍ର ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୌବପୀଠରେ ଜଳାଭିଷେକ କରୁଥିଲେ । ତେବେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ କାଉଡିଆ ଭକ୍ତ ମାନଙ୍କୁ ବାରଣ କରାଯାଇଛି । ଜଳଲାଗି ନକରିବା ନେଇ କାଉନିଆଙ୍କ ମନରେ ଯେତିକି କଷ୍ଟ ତା’ ଠାରୁ ଯଥେଷ୍ଟ ପରିମାଣରେ ଖୁସି ଯେ, କରୋନାକୁ ମୁକାବିଲା କରିବା ଲାଗି ପ୍ରଶାସନର ଉଦ୍ୟମ ପଂଶସନୀୟ ବୋଲି ସ୍ଥାନୀୟ ଅଂଚଳର କିଛି କାଉଡ଼ିଆ ଭକ୍ତ କହିଛନ୍ତି । ଏ ନେଇ ସ୍ଥାନୀୟ କୋଭିଡ଼ ଇନସିଣ୍ଡେଂଟ କମାଣ୍ଡର ତଥା ତହସିଲଦାର ଗୋପିନାଥ କୁଅଁର ଡ଼ାକବାଜି ଯନ୍ତ୍ର ସହାୟତାରେ ସ୍ଥାନୀୟ ପୌରାଂଚଳ, ଥାନା ଓ ବ୍ଳକ ଅଂଚଳର ବିଭିନ୍ନ ଗ୍ରାମରେ କାଉଡ଼ିଆ ଭକ୍ତ ମାନେ ଚଳିତ ବର୍ଷ ଜଳଲାଗି ନକରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏଥି ସହ ଅଂଚଳର ସମସ୍ତ ଶୌବପୀଠ ମନ୍ଦିର କମିଟି ମାନଙ୍କୁ ଏ ନେଇ ଚିଠି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଏହାକୁ ଅବମାନନା କରି କୌଣସି କାଉଡ଼ିଆ ଭକ୍ତ ଜଳଲାଗି କଲେ ସଂପୃକ୍ତ କାଉଡ଼ିଆ ଭକ୍ତ ଓ ମନ୍ଦିର ପୂଜକ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କୁଅଁର କହିଛନ୍ତି ।


