ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦେବା ସଂଗେ ସଂଗେ ଫସଲ ବୀମା ସହାୟତା ପ୍ରଦାନ କରିବା ଦାବୀ ନେଇ ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ପଂଚାୟତର ସରପଂଚ ନିରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କୁ ପ୍ରଦାନ କରିଛନ୍ତି । ଗତ ଡିସେମ୍ବର ମାସରେ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ପଂଚାୟତର ଚାଷୀଙ୍କ ଶତକତା ୫୦ ଭାଗ ରୁ ଅଧିକ ଧାନ ଫସଲ ନଷ୍ଟ ହୋଇଯାଇଥିଲା, ଅଦ୍ୟାବଧି ଅଧିକାଂଶ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ । ସେହିପରି ପଂଚାୟତରେ ଅଧିକ ମାତ୍ରାରେ ପନିପରିବା, ଚିନାବାଦାମ, ଲଙ୍କା ମରିଚ ଆଦି ଫସଲ ହେଉଥିବାରୁ ସେଗୁଡିକର ବିକ୍ରିବଟାର କୌଣସି ସୁବିଧା ନଥିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ପୃଥକ ପୃଥକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଣୁ ପଂଚାୟତରେ ଏକ କୃଷକ ବଜାର ଗୋଦାମ ଗୃହ ନିର୍ମାଣ କରିବା ପାଇଁ ସେମାନେ ଏହି ସ୍ମାରକପତ୍ର ରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର ନାହାକ, ସୁରେନ୍ଦ୍ର ସେନାପତି, ଭାସ୍କର ପ୍ରଧାନ, ଶିବରାମ ନାହାକ, ଲଡୁ କିଶୋର ପ୍ରଧାନ, ମହେନ୍ଦ୍ର ସେଠୀ, ରମେଶ ଶାସମଲ, ବାବୁଲା ନାହାକ, କୃଷ୍ଣ ଚନ୍ଦ୍ର ନାହାକଙ୍କ ସମେତ ବହୁ ଚାଷି ଉପସ୍ଥିତ ଥିଲେ ।


