ଆସିକାରେ ବୃଦ୍ଧି ପାଇବାରେ ଲାଗିଛି ଇଲେକ୍ଟ୍ରି ଗାଡି

ଆସିକା (ୱାଇଏନ୍‍ଏସ୍‍): ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସିଏନ୍‍ଜି ଏବଂ ଇଲେକ୍ଟ୍ରି ଗାଡିର ଦୁଇ ଚକିଆ ଏବଂ ତିନିଚକିଆ ଓ ଚାରିଚକିଆ ଯାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି । ବିଗତ କିଛି ମାସ ହେଲା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଇଲେକ୍ଟ୍ରି ଗାଡିର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ଅଞ୍ଚଳରେ ଇଲେକ୍ଟ୍ରି ଗାଡିକୁ ଚାର୍ଜ କରିବା ପାଇଁ ଇଭି ପଏଣ୍ଟ ଖୋଲାଯାଇନଥିବା ଯୋଗୁଁ ବହୁ ବ୍ୟକ୍ତି ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଇଭି ଗାଡି ଚଲାଉଥିବା ବହୁ ଗାଡିମାଲିକ ନିଜ ଘରେ ଇଲେକ୍ଟ୍ରି ଗାଡିଗୁଡିକୁ ଚାର୍ଜିଂ କରୁଥିବା ଜଣାପଡିଛି । ଇଲେକ୍ଟ୍ରି ଭେଇକେଲ୍‍ (ଇଭି) କିଣିଲେ ସରକାରଙ୍କ ପକ୍ଷରୁ ସବ୍‍ସିଡି ମଧ୍ୟ ଦିଆଯାଉଛି । ବଢୁଥିବା ପେଟ୍ରୋଲ ଦର ସମେତ ଅନେକ ଦିଗକୁ ଦୃଷ୍ଟିରେ ରଖି ଏବେ ପ୍ରାୟତଃ ଅଧିକାଂଶ ବ୍ୟକ୍ତି ଇଭି ଗାଡି କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । କେବଳ ଦୁଇଚକିଆ ନୁହେଁ ଅଟୋ ଠାରୁ ଆରମ୍ଭ କରି କାର୍‍ ପର୍ଯ୍ୟନ୍ତ କେତେକ ବ୍ୟକ୍ତି ଇଭି ଗାଡି ବ୍ୟବହାର କରୁଥିବା ଜଣାପଡିଛି । ପ୍ରଦୂଷଣମୁକ୍ତ ତଥା ସବୁଜ ପରିବେଶ ଗଢିତୋଳିବା ପାଇଁ ସରକାରଙ୍କ ପକ୍ଷରୁ ଇଲେକ୍ଟ୍ରି ଗାଡିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଆଶ୍ଚର୍ଯ୍ୟ କଥା ଘରୁ ବାହାରିବା ପରେ କେତେକ ବ୍ୟକ୍ତିଙ୍କୁ ଚାର୍ଜିଂ ଚିନ୍ତା ଘାରୁଥିବା ଜଣାପଡିଛି । କାରଣ ଆସିକା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇପାରି ନାହିଁ । ଅପର ପକ୍ଷରେ ଆସିକା ଅଞ୍ଚଳକୁ ବାହାରୁ ଇଲେକ୍ଟ୍ରି ଗାଡି ନେଇ ଆସୁଥିବା ବହୁ ବ୍ୟକ୍ତି ଚାର୍ଜିଂ ପାଇଁ ବିଭିନ୍ନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ବଦଳୁଥିବା ସମୟ ତୁଳନାରେ ଆସିକାରେ ଇଭି ଚାର୍ଜିଂ ଷ୍ଟେସନ ନଥିବାରୁ ବହୁ ବ୍ୟକ୍ତି ନିଜ ଇଭି ଗାଡିର ଚାର୍ଜ ସରିଗଲେ ଅସୁବିଧାରେ ପଡୁଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ପ୍ରମୁଖ ରାସ୍ତାରେ ଦିନକୁ ଦିନ ଗଡୁଛି ଇଭି ଗାଡି । ପେଟ୍ରୋଲ-ଡିଜେଲ୍‍ର ବିକଳ୍ପ ଭାବେ ବହୁ ବ୍ୟକ୍ତି ଓ ଇଭି ଆଡକୁ ମୁହାଁଉଥିବା ବେଳେ ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମୀ ଆସିକାରେ ଅଦ୍ୟାବଧି ସ୍ଥାପନ କରିବା ସମ୍ଭବପର ହେଉନାହିଁ । ସହରରେ ପରିବେଶ ପ୍ରଦୂଷଣ ରୋକିବା ସହ ସବୁଜ ସୁନ୍ଦର ସହର ଗଢିତୋଳିବା ପାଇଁ ସରକାରୀ ସ୍ତରରେ ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଇଲେକ୍ଟ୍ରି ଗାଡି ବା ଇଭି ଗାଡିକୁ ବ୍ୟବହାର ଉପରେ ସରକାର ଗୁରୁତ୍ୱ ବି ଦେଉଛନ୍ତି । ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍‍ର ଆକାଶଛୁଆଁ ଦରବୃଦ୍ଧି କାରଣରୁ ବହୁ ବ୍ୟକ୍ତି ନିଜ ବଜେଟକୁ ସମ୍ଭାଳିବା ପାଇଁ ବିକଳ୍ପ ଭାବେ ଇଲେକ୍ଟ୍ରି ଗାଡି କିଣିବାକୁ ଅଧିକ ଶ୍ରେୟସ୍କର ମଣୁଥିବା ଦେଖିବାକୁ ମିଳୁଛି । ବିଗତ କିଛି ମାସ ହେଲା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବହୁ ବ୍ୟକ୍ତିଙ୍କ ଘରେ ଇଲେକ୍ଟ୍ରି ଗାଡି ଶୋଭାପାଉଛି । ଆସିକା ଅଞ୍ଚଳର ବହୁ ଆଗ୍ରହୀ ଗ୍ରାହକ ଉତ୍ସାହର ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇଭି ଗାଡି କିଣୁଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ସମୟରେ ଚାର୍ଜିଂ ଚିନ୍ତା ଘାରୁଥିବା ଜଣାପଡିଛି । ଆସିକା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଇଭି ଚାର୍ଜିଂ ପଏଣ୍ଟ ନଥିବା ଯୋଗୁଁ କେତେକ ଚାଳକ ନାକେଦମ୍‍ ହେଉଥିବା ବେଳେ ପ୍ରଶାସନର ସବୁଜ ପରିବେଶ ମିଶନ୍‍ ଉପରେ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ଭାବେ କିମ୍ବା ବେସରକାରୀ ଭାବେ ମଧ୍ୟ ଆସିକାରେ ଇଭି ଚାର୍ଜିଂ ପଏଣ୍ଟ ଅଦ୍ୟାବଧି ସ୍ଥାପନ ହୋଇପାରିନଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ନୁଆଁ ଇଭିି ଗାଇଡ୍‍ଲାଇନ୍‍ ଅନୁସାରେ ସହରାଞ୍ଚଳ ଗୁଡିକରେ ପ୍ରତି ୧ କିଲୋମିଟର ବ୍ୟବଧାନରେ ଅତି କମ୍‍ରେ ଗୋଟିଏ ଲେଖାଏଁ ସାର୍ବଜନୀନ ଇଭି ଚାର୍ଜିଂ ପଏଣ୍ଟ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସିକା ଅଞ୍ଚଳରେ ଆବଶ୍ୟକୀୟ ଭିତ୍ତିଭୂମୀ ଅଭାବରୁ ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ କରିବା ସାଂପ୍ରତିକ ପରିସ୍ଥିତିରେ ସମ୍ଭବପର ହୋଇପାରନାହିଁ ବୋଲି କେତେକ ମହଲରେ ଆଲୋଚିତ ହେଉଛି । ପ୍ରଦୂଷଣମୁକ୍ତ ସହର ଗଠନ ପାଇଁ ଆସିକାରେ ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ କରିବା ସାଂପ୍ରତିକ ପରିସ୍ଥିତିରେ ଜରୁରୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ