ଚୋରା ଗଞ୍ଜେଇ ଜବତ : ୨ ଗିରଫ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବ୍ଲକ ଛକ ଠାରେ ପୋଲିସ ଏକ ବାଇକରୁ ୧ କିଗ୍ରା ୮୫୯ ଗ୍ରାମ ଚୋରା ଗଞ୍ଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଗୁରବାର ରାତିରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସ୍.ଆଇ ପ୍ରସାଦ କୁମାର ଜେନା ଓ ପୋଲିସ କର୍ମଚାରୀ ମାନେ ରାଜ୍ୟ ରାଜପଥର ବ୍ଲକ ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ୨ ଜଣ ଯୁବକ ଏକ ବାଇକ୍ ଯୋଗେ ଆନନ୍ଦପୁର ଆଡୁ ଭଦ୍ରକ ଅଭିମୁଖେ ଆସୁଥିଲେ । ପୋଲିସ ସନ୍ଦେହ କରି ସେମାନଙ୍କୁ ଅଟକାଇ ବାଇକ୍ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ଚୋରା ଗଞ୍ଜେଇ ଜବତ ହୋଇଥିଲା । ପରେ ପୋଲିସ ୨ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବାଇକ୍, ୨ ଶହ ଟଙ୍କା ଓ ଗୋଟିଏ ଏଟିମ୍ କାର୍ଡ ଜବତ କରିଛି । ଗିରଫ ହୋଇଥିବା ୨ ଯୁବକ ମାନେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଧିନ ସିକୁଳିପଦା ଗ୍ରାମର ବରଜୁ ନାଏକ ଓ କାଲୁ ପ୍ରଧାନ ବୋଲି ଜଣାଯାଇଛି । ଏନେଇ ପୋଲିସ କେସ ନଂ-୩୩/୨୨ ମୂଳେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।


