ଚୋରା ବାଲି ଚାଲାଣରେ ରୋକ ଲଗାଇ ପାରୁନି ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ) :-ଗାଁ ଗାଁରେ ଚାଲିଛି ବାଲି ଚୋରା ଚାଲାଣ । ପ୍ରତିଦ୍ୱନ୍ଦିତା ଭିତ୍ତିରେ ହେଉଛି ବାଲି ଉତ୍ତୋଳନ । ଏଥିରେ ମୋଟା ଅଙ୍କର ଲାଭ ହେଉଥିବାରୁ ଯିଏ ଯେଉଁଠି ପାରିଲା ବାଲି ଖୋଳି ନେଇଗଲା । ରୋକିବାକୁ କେହି ନାହିଁ । ଯଦିବା କିଏ ପ୍ରତିବାଦ କରୁଛି ତାକୁ ନାଲି ଆଖି ଦେଖାଇ ବାଲି ମାଫିଆ ମାନେ ଭୟଭୀତ କରାଉଛନ୍ତି । ପ୍ରଶାସନ ସବୁ ଜାଣି ମଧ୍ୟ ବାଲି ଚୋରା ଚାଲାଣରେ ରୋକ ଲଗାଇବାରେ ସକ୍ଷମ ହୋଇ ପାରୁନି । ଯଦିଓ ବର୍ତ୍ତମାନର ତହସିଲଦାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି କିନ୍ତୁୁ ପୁଲିସ ପ୍ରଶାସନ ଏଥିରେ ସହଯୋଗ କରୁନଥିବାରୁ ବାଲି ଚୋରା ଚାଳାଣ ରୋକିବାରେ ତହସିଲ କର୍ତ୍ତୁପକ୍ଷ ବିଫଳ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନରେ ଥିବା ତରଭା ବୈତରଣୀ ବାଲିଘାଟରେ । କିଛି ବାଲି ମାଫିଆ ନିୟମିତ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ କରୁଛନ୍ତି । ବିଶେଷକରି ଛୁଟିଦିନ ମାନଙ୍କରେ ଏହା ଖୁଲାମ ଖୁଲା ଚାଲିଥିବାବେଳେ ଅନ୍ୟ ଦିନମାନଙ୍କରେ ରାତିରେ ପରିବହନ ହେଉଛି । ଦିନରେ ଅଳ୍ପ ପରିମାଣର ଟ୍ରାକ୍ଟର ବାଲି ବୋହୁଛନ୍ତି । ଏନେଇ ଅଭିଯୋଗ ହେବାପରେ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ତହସିଲ କର୍ତ୍ତୁପକ୍ଷ ଚଢ଼ାଉ କରି ଦୁଇ ତିନୋଟି ଟ୍ରାକ୍ଟରକୁ ଧରିବା ସହିତ ଜୋରିମାନା କରିଥିଲେବି ତାହାର କିଛି ପ୍ରଭାବ ପଡିଲାନି । ଏବେ କିଛି ଟ୍ରାକ୍ଟର ମାଲିକ ପାଳିକରି ଛେନାପଦି ଛକ ଓ ଶୁଲଣ ରାସ୍ତାରେ ଜଗି ରହି ତହସିଲଦାରଙ୍କ ଚଢ଼ାଉ ପୁର୍ବରୁ ସୁଚନା ଦେଉଥିବାରୁ ଚଢ଼ାଉ ପୁର୍ବରୁ ବାଲିବୋଝେଇ ଗାଡି ଗୁଡିକ ଲୁଚି ଯିବାରେ ସକ୍ଷମ ହେଉଛନ୍ତି, ଯାହାଦ୍ୱାରାକି ବାଲି ଗାଡିକୁ ଧରିବାରେ ପ୍ରଶାସନ ବିଫଳ ହୋଇ ପଡୁଛି । ରାତିରେ ପରିସ୍ଥିତି ଏପରି ହେଉଛି ଯେ ତରଭା ଠାରୁ ବଳଭଦ୍ରପୁର ପର୍ଯ୍ୟନ୍ତ ରାସ୍ତା ପାଖ ଲୋକମାନେ ଟ୍ରାକ୍ଟରର ଗର୍ଜନରେ ଶୋଇ ପାରୁ ନାହାନ୍ତି । ଏନେଇ ବାରମ୍ବାର ତହସିଲଦାର, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଉଥିଲେବି କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ସମଣା ବାଲିଘାଟରେ ମଧ୍ୟ ସମାନ ଅବସ୍ଥା । ସେଠାରୁ ମଧ୍ୟ ଶହଶହ ଟ୍ରାକ୍ଟର ଦ୍ୱାରା ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ