ଚୋରି ଘଟଣାରେ ଯୁବକ କୋର୍ଟଚାଲାଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ଶନିବାର ରାତିରେ ଘଟିଥିବା ଏକ ଚୋରି ଘଟଣାରେ ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ଯୁବକକୁ ଭୁବନେଶ୍ୱରରରୁ ନାଟକୀୟ ଢ଼ଙ୍ଗରେ ଗିରଫ କରି ଭଞ୍ଜନଗର କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ଼ ଗ୍ରାମର ମାଦା ପୋଲେଇ (୫୬) ଗତ ଏକ ତାରିଖ ମଧ୍ୟ ରାତ୍ରରେ ଘରେ ବାଡ଼ିପଟ କୋଠରୀରେ ଶୋଇଥିବା ବେଳେ ସେହି ଗ୍ରାମର ଆକାଶ ସ୍ଵାଇଁ ଓରଫ ରିଙ୍କୁ (୨୩) ନାମକ ଯୁବକ ମାଦାଙ୍କ ଘର କବାଟ ଭାଙ୍ଗି ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା I ସେହି ସମୟରେ ମାଦା ଉଠିପଡ଼ି ଆକାଶର ମୁହଁକୁ ଟର୍ଚ୍ଚ ପକାଇଦେବାରୁ କାଳେ ଆକାଶକୁ ମାଦା ଚିହ୍ନିଦେବ ସେହି ଭୟରେ ଆକାଶ ମାଦାର ମୁଣ୍ଡକୁ ଧରି ପଛ ଏରୁଣ୍ଡିରେ ବାଡ଼େଇ ଦେବା ସହିତ ସେଠାରୁ ଖସି ଚାଲିଯାଇଥିଲା I ରକ୍ତାକ୍ତ ଅବସ୍ଥାରେ ମାଦା ପଡ଼ିଥିବା ବେଳେ ତାର ବୋହୂ ଉଠିପଡ଼ି ତାକୁ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ମାଦାର ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାକୁ ଭଞ୍ଜନଗର ଏବଂ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ବର୍ତ୍ତମାନ ମାଦା ଭୁବନେଶ୍ୱର ସ୍ଥିତ ଏମସ୍ ମେଡ଼ିକାଲ୍ ରେ ଚିକିତ୍ସିତ ହେଉଛି I ମାଦାର ଅବସ୍ଥା ଗୁରୁତର ରହିଛି I ଚୋରି ଘଟଣା ଏବଂ ମାଦାକୁ ଆକ୍ରମଣ କରିବା ପରେ ଆକାଶ ଭୟଭୀତ ହୋଇ ଭୁବନେଶ୍ଵର ଚାଲିଯାଇଥିଲା I ଏନେଇ ବେଲଗୁଣ୍ଠା ପୋଲିସ୍ ୨୯୦/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରି ଆକାଶର ମୋବାଇଲ୍ ଟ୍ରାକିଂ କରିଥିଲେ I ଭୁବନେଶ୍ୱରରେ ଆକାଶ ଥିବା ଖବର ପାଇ ଗତ ରାତିରେ ପୋଲିସ୍ ଭୁବନେଶ୍ୱର ଯାଇ ଆକାଶକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ଗିରଫ କରିଥିଲେ I ଆଜି ଆକାଶକୁ ଗିରଫ କରି ଭୁବନେଶ୍ୱରରୁ ବେଲଗୁଣ୍ଠା ଅଣାଯିବା ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ପୋଲିସ୍ ପ୍ରକାଶ କରିଛି I ଘଟଣାକୁ ଗମ୍ଭୀରତାର ସହ ନେଇ ନିଜେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ସମସ୍ତ ଦାୟିତ୍ୱ ନେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ